ନିର୍ବାଚନୀ ହିଂସା: ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ

ପୁଣି ମତଦାନ ବେଳେ, ଦେଖିବାକୁ ମିଳିଲା ନିର୍ବାଚନୀ ହିଂସା | ଯାଜପୁର ବିଞ୍ଝାରପୁରରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା | ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି | ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ୩ ଜଣ ସାମ୍ବାଦିକ ଆକ୍ରମଣର ଶିକାର ହୋଇଛନ୍ତି | କନକ ନ୍ୟୁଜ୍ର ସାମ୍ବାଦିକ ବିଜୟ ସାହୁ, କଳିଙ୍ଗ ଟିଭି ଓ ଅର୍ଗସ୍ର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ଦୁବୃର୍ତ୍ତଙ୍କ ମାଡରେ ସାମ୍ବାଦିକ ମାନେ ଲହୁଲୁହାଣ ହୋଇଛନ୍ତି । ଏପରିକି ଅର୍ଗସର ସାମ୍ବାଦିକଙ୍କୁ ଅପହରଣ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ ଦୁବୃର୍ତ୍ତ ।

ମିଳିଥିବା ସୂଚନା ମୁତାବକ, ବିଞ୍ଝାରପୁର ବ୍ଲକ ବାଛୁଳ ପଂଚାୟତରେ ୪ ଓ ୬ ନମ୍ବର ବୁଥରୁ ଭୋଟ୍ ବାକ୍ସ ଉଠାଇ ନେଇଥିବାର ଖବର ସାମ୍ନାକୁ ଆସିଥିଲା । ଭୋଟବାକ୍ସକୁ ପୋଖରୀ ଭିତରେ ଫିଙ୍ଗାଯାଉଥିବାର ଖବର ଆସିବା ପରେ ସାମ୍ବାଦିକ ମାନେ ଖବରର ସତ୍ୟତା ଯାଞ୍ଚ ପାଇଁ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ପୋଖରୀରେ ପକାଯାଇଥିବା ଭୋଟବାକ୍ସର ଭିଡ଼ିଓ କରୁଥିବା ବେଳେ କିଛି ଲୋକ ଏକତ୍ରୀତ ହୋଇ ସାମ୍ବାଦିକଙ୍କୁ ମାଡ ମାରିଥିଲେ । ଏପରିକି ଫୋନ ମଧ୍ୟ ଛଡାଇ ନେଇଥିଲେ । ଗାଡିକୁ ଭାଙ୍ଗିବା ସହ ଗୋବର ପକାଇଥିଲେ । ତେବେ କ୍ୟାମେରାରେ ଦୁବୃର୍ତ୍ତଙ୍କ ଏହି ଉନ୍ମତ୍ତକାଣ୍ଡର ପୂରା ଭିଡିଓ ସୁଟ୍ ହୋଇଥିଲା ।

ଯେହେତୁ ଭିଡ଼ିଓରେ ଦୁବୃର୍ତ୍ତ ମାଡ ମାରୁଥିବାର ସ୍ପଷ୍ଟ ଚିତ୍ର ରହିଛି, ତେଣୁ ପୋଲିସ ଏହି ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ପ୍ରଶ୍ନ ଉଠୁଛି, ଦୁବୃର୍ତ୍ତ ଭୋଟ ବାକ୍ସ ଉଠାଇ ନେଉଥିବାର ଖବର ଆସିଥିଲେ ମଧ୍ୟ ପୋଲିସ କାହିଁକି ବିଳମ୍ବରେ ପହଞ୍ଚିଥିଲା ।

Related Posts