ନୂଆ ବର୍ଷ ପାଳନ କଟକଣା: ଝାରସୁଗୁଡାରେ ଜାନୁଆରୀ ୨ ଯାଏଁ ସମସ୍ତ ପର୍ଯ୍ୟଟନ ସ୍ଥଳ ବନ୍ଦ

ରାଜ୍ୟରେ ବଢୁଥିବା ଓମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟାକୁ ନେଇ ରାଜ୍ୟରେ ପୁଣି ଲାଗିଛି କଟକଣା | ସ୍ବତନ୍ତ୍ର ରିଲିଫ କମିଶନର ବଡ଼ଦିନରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ହୋଟେଲ, ଧର୍ମାନୁଷ୍ଠାନ, କ୍ଲବ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବା ପରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳକୁ ପ୍ରବେଶ ଉପରେ ଲଗାଇଛି କଟକଣା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

ଖ୍ରୀଷ୍ଟମାସ ଦିନ ସନ୍ଧ୍ୟାରେ କୌଣସି ସ୍ଥାନରେ ଗହଳି କରିବାକୁ ବାରଣ କରାଯାଇଛି । ଚର୍ଚ୍ଚଗୁଡ଼ିକ କେବଳ ନୀତି ଓ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଖୋଲା ରହିବାକୁ ରହିଛି ନିର୍ଦ୍ଦେଶ । ଏଠାରେ କୌଣସି ଲୋକଙ୍କୁ ପ୍ରବେଶ କରାଯିବ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ଏହାସହିତ ହୋଟେଲ, ରେସ୍ତୋରାଁ, କ୍ଲବ୍‌, ବାର୍‌, କନଭେନ୍‌ସନାଲ ହଲ୍‌ ଓ କଲ୍ୟାଣ ମଣ୍ଡପ ଆଦିରେ ଭିଡ଼କୁ ବାରଣ କରାଯାଇଛି । ଜାନୁଆରୀ ୧ ତାରିଖ ଦିନ କୌଣସି ଉତ୍ସବର ଆୟୋଜନ ହେବ ନାହିଁ ।ଝାରସୁଗୁଡା ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଯେପରିକି କୋଇଲିଘୁଘାର, ରାମ୍ପାଲୁଗା, ବରଘାଟ, ଲାଲପଥର, ସିଂଘବାଗ, ଗୁଜପାହାଡ଼, ହାତିଆନଳା ଆଦି ଡିସେମ୍ବର ୨୫ ତାରିଖଠାରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।

Related Posts