ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ କମିଶନ ଡାକିଲେ ବୈଠକ

ଆଗକୁ ପଞ୍ଚାୟତ ନିର୍ବାଚନ | ନିର୍ବାଚନ ଯେତେ ପାଖେଇ ଆସୁଛି ଜୋର ଧରୁଛି ପ୍ରସ୍ତୁତି | ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ଆଜି ନିର୍ବାଚନ ପାଇଁ ଏସପି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ହେବ । ଆଜି ସକାଳ ୧୦.୩୦ରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ ।

ନିର୍ବାଚନକୁ କିପରି ଶାନ୍ତିଶୃଙ୍ଖଳା ଓ କଟକଣା ଭିତରେ ଆୟୋଜନ କରାଯିବ ସେନେଇ ବିଚାର ବିମର୍ଶ କରାଯିବ । ଏହି ବୈଠକରେ ଭିସି ମାଧ୍ୟମରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଯୋଗଦେବେ ।

ଏମାନଙ୍କ ସହିତ ଏହି ବୈଠକରେ ମୁଖ୍ୟଶାସନ ସଚିବ, ଡିଜିପି, ଗୃହ ସଚିବ, ରାଜସ୍ୱ ସଚିବ, ପଞ୍ଚାୟତିରାଜ ସଚିବ ଓ ଆରଡିସି ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ସେପଟେ ଦିନକ ପରେ ଆରମ୍ଭ ହେବ ନାମାଙ୍କନ । ଏଥିପାଇଁ ଶେଷ ପର୍ଯ୍ୟାୟରେ କସରତ୍ କରୁଛନ୍ତି ସବୁ ଦଳ । ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସହ ବିଜୟ ସମ୍ଭାବନା ଥିବା ବ୍ୟକ୍ତିକୁ ବିଜେଡି ଦଳୀୟ ଟିକେଟ ଦେବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଜୋନସ୍ତରରେ କମିଟି ଗଠନ କରିଛି ବିଜେଡି । ଏହି କମିଟି ଜୋନସ୍ତରରୁ ୩ ଜଣିଆ ପ୍ରାର୍ଥୀଙ୍କ ନାମ ତାଲିକା ପଠାଇବେ । ଏହାକୁ ଦଳ ଭିତରେ ବିଚାର ବିମର୍ଶ କରାଯିବ । ଶେଷରେ କାହାକୁ ପ୍ରାର୍ଥୀ କରାଯିବ, ସେନେଇ ଚୂଡାନ୍ତ ନିଷ୍ପତ୍ତି ଦଳର ସୁପ୍ରିମୋ ଘୋଷଣା କରିବେ । ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଫୁଲ୍ ଦମରେ ଲାଗି ପଡିଛନ୍ତି ।

Related Posts