ପଦ୍ମ ଧରିଲେ ସିଡିଏସ୍‌ ବିପିନ ରାୱତଙ୍କ ଭାଇ

ବିଜେପିରେ ମିଶିଛନ୍ତି ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କ ଭାଇ । ଆଗକୁ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଥିବା ବେଳେ ସିଡିଏସ୍‌ଙ୍କ ଭାଇ କର୍ଣ୍ଣେଲ(ଅବସରପ୍ରାପ୍ତ) ବିଜୟ ରାୱତ ଆଜି ପଦ୍ମ ଧରିଛନ୍ତି।

ବିଜେପିରେ ମିଶିବା ପୂର୍ବରୁ କର୍ଣ୍ଣେଲ ବିଜୟ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ଭେଟିଥିଲେ। ଏହାପରେ ସେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଧାମିଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି। କୁହାଯାଉଛି ଯେ ବିଜେପି ଶ୍ରୀ ରାୱତଙ୍କୁ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବ।

ବିଜୟ ରାୱତ କହିଛନ୍ତି, “ମୁଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରାଜ୍ୟ ପାଇଁ ରଖିଥିବା ଦୂରଦୃଷ୍ଟିକୁ ପସନ୍ଦ କରେ। ମୋ ଭାଇ(ବିପିନ ରାୱତ)ଙ୍କ ମୁଣ୍ଡରେ ମଧ୍ୟ ସମାନ କଥା ଚାଲିଥିଲା। ତାଙ୍କ ଚିନ୍ତାଧାରା ବିଜେପି ସହ ପୂରା ସମାନ। ଉତ୍ତରାଖଣ୍ଡବାସୀଙ୍କ ସେବା ହିଁ ମୋର ଏକମାତ୍ର ଲକ୍ଷ୍ୟ।”

ସେ ବିଜେପିରେ ମିଶିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବିଷ୍ୟତ ପାଇଁ କରୁଥିବା ଯୋଜନାଗୁଡ଼ିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ବିଜେପିରେ ମୋତେ ଯୋଗଦେବାକୁ ସୁଯୋଗ ମିଳିଥିବାରୁ ମୁଁ କୃତଜ୍ଞ। ସେନାରୁ ଅବସର ନେବା ପରେ ମୋ ବାପା ବିଜେପିରେ ମିଶିଥିଲେ। ଏବେ ମୁଁ ସେପରି ସୁଯୋଗ ପାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିନ୍ତାଧାରା ବେଶ ଭଲ।

ସୂଚନାଯୋଗ୍ୟ, ଡିସେମ୍ବର ୮ରେ ସିଡିଏସ୍ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଅନ୍ୟ ୧୨ ଜଣ ସେନା କର୍ମଚାରୀ ହେଲିକପ୍ଟର ଯୋଗେ ସୁଲୁର ଏୟାରବେସରୁ ୱେଲିଙ୍ଗଟନ୍ ଯାଉଥିଲେ। ତେବେ ସେଠାରେ ପହଞ୍ଚିବାର କିଛି ମିନିଟ୍‌ ପୂର୍ବରୁ କୁନ୍ନୁର ଠାରେ ଘଟିଥିଲା ବଡ଼ ଅଘଟଣ।

Related Posts