ଇସଲାମାବାଦ(ସତ୍ୟପାଠ ବ୍ୟୁରୋ) : ଆତଙ୍କବାଦକୁ ସମର୍ଥନ କରୁଥିବା ପାକିସ୍ତାନ ଏବେ ନିଜ ଗାତରେ ପଡ଼ିଛି। ବାରମ୍ବାର ଆତଙ୍କବାଦୀଙ୍କ ଟାର୍ଗେଟର ଶିକାର ହେଉଛନ୍ତି ଦେଶବାସୀ। ମୁଖ୍ୟତଃ ପୋଲିସକୁ ଟାର୍ଗେଟ କରୁଥିବାବେଳେ ଆତଙ୍କବାଦୀମାନେ କେତେବେଳେ ଆତ୍ମଘାତୀ ବିସ୍ଫୋରଣ କରୁଛନ୍ତି ତ କେତେବେଳେ ସିରିଜ ବିସ୍ଫୋରଣ। ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ତେହେରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି) ସିରିଜ୍ ଆକ୍ରମଣ କରିଛି। ଏଥିରେ ନଅ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୩୧ ଆହତ ହୋଇଛନ୍ତି। ପ୍ରଥମ ଘଟଣାରେ ଟିଟିପି ଆତଙ୍କବାଦୀମାନେ ବାନୁର ମାରିଅନ୍ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଛଅ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୨ ଆହତ ହୋଇଥିଲେ। ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ଏକ ଟ୍ରକ୍ ପୋଲିସ ଷ୍ଟେସନ ସହ ଧକ୍କା କରି ବିସ୍ଫୋରଣ କରିଥିଲେ। ସେହିପରି ଦ୍ବିତୀୟ ଘଟଣାରେ ଲୋୟର ଦିର୍ ଜିଲ୍ଲାରେ ଏକ ପୋଲିସ କାରକେଡ ଉପରେ ହୋଇଥିବା ଆକ୍ରମଣରେ ତିନି ଜଣ ପୋଲିସ କର୍ମଚାରୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ହାତ ଗ୍ରେନେଡ ଫିଙ୍ଗିବା ସହିତ ଗୁଳି ଚାଳନା କରିଥିଲେ। ଏଥିରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଆହତ ହୋଇଥିଲେ। ହାଇଦର ନିକଟସ୍ଥ ଲାଡାମ ଟପ୍ରେ ଏହି ଆକ୍ରମଣ ହୋଇଥିଲା। ଉଭୟ ଘଟଣାରେ ଆହତ ପୋଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ କହିଛି ଯେ, ସୁରକ୍ଷା ବାହିନୀ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛି ଏବଂ ଆକ୍ରମଣକାରୀଙ୍କ ସନ୍ଧାନ ପାଇଁ ତଲାସୀ ଅଭିଯାନ ଚାଲିଛି।
