କୋରାପୁଟ,(ସତ୍ୟପାଠବ୍ୟୁରୋ): କଟକରେ ଆକ୍ସନ, େକାରାପୁଟରେ ପ୍ରଭାବ। ରାଜ୍ୟରେ ନକଲି ଅପମିଶ୍ରିତ ଓ ନିମ୍ନମାନର ପନିର ବିକ୍ରି ବିରୋଧରେ ପ୍ରଶାସନର କଡ଼ା ଆଭିମୁଖ୍ୟର ପ୍ରଭାବ ସିଧାସଳଖ କୋରାପୁଟରେ ଦେଖିବାକୁ ମିଳିଛି। ବିରି ମାଡ଼ ଦେଖି କୋଲଥ ଚେପା ଭଳି ପରିସ୍ଥିତିରେ ବାହାର ରାଜ୍ୟରୁ କୋରାପୁଟକୁ ଆସୁଥିବା ପନିର ଯୋଗାଣ ଗତ ତିନି ଦିନ ହେଲା ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କୋରାପୁଟ ସହରରେ ଖୋଲାରେ ବିକ୍ରି କରୁଥିବା ଛେନା ଓ ପନିର ବ୍ୟବସାୟୀଙ୍କ ମଧ୍ୟରୁ ପ୍ରାୟ ବେପାର ବନ୍ଦ କରିଛନ୍ତି। ଫଳରେ ବ୍ୟବସାୟ ମାନ୍ଦା ପଡ଼ିଥିବା ନେଇ ବ୍ୟବସାୟୀମାନେ କହିଛନ୍ତି।

ସୂଚନା ଅନୁସାରେ, ଅବିଭକ୍ତ କୋରାପୁଟ ଜିଲ୍ଲାର ହୋଟେଲ, ରେଷ୍ଟୁରାଣ୍ଟ ଓ ବଜାରର ଚାହିଦା ପୂରଣ ପାଇଁ ପୂର୍ବରୁ ପ୍ରତିଦିନ ପ୍ରାୟ ୪୦ କ୍ୱିଣ୍ଟାଲ ପନିର ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ରାୟପୁର ଆଦି ଅଞ୍ଚଳରୁ ଆସୁଥିଲା। କମ୍ ମୂଲ୍ୟରେ ଆସୁଥିବା ଏହି ପନିର ବିଭିନ୍ନ ବଜାରରେ ବ୍ୟାପକ ଭାବେ ବିକ୍ରି ହେଉଥିଲା। ତେବେ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିରୋଧରେ ସାରା ରାଜ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ପ୍ରଶାସନର କଡ଼ା ଯାଞ୍ଚ ଆରମ୍ଭ ହେବା ପରେ ବାହାର ରାଜ୍ୟର ଯୋଗାଣକାରୀମାନେ ସତର୍କ ହୋଇପଡ଼ିଛନ୍ତି। ଯାଞ୍ଚ ଓ ଆଇନଗତ କାର୍ଯ୍ୟାନୁଷ୍ଠାନର ଭୟରେ କୋରାପୁଟକୁ ପନିର ପଠାଇବା ବନ୍ଦ କରିଦେଇଥିବା କୁହାଯାଉଛି। ଏହାର ପ୍ରଭାବରେ ବଜାରରେ ପନିର ଯୋଗାଣ ହ୍ରାସ ପାଇଥିବା ବେଳେ ସ୍ଥାନୀୟ ପନିରର ଚାହିଦା ବଢ଼ିଛି। ହୋଟେଲ ଓ ବଡ଼ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ପରିମାଣର ପନିର ମିଳିବାରେ କେତେକ ସ୍ଥାନରେ ସମସ୍ୟା ହେଉଥିବା ବ୍ୟବସାୟୀମାନେ କହିଛନ୍ତି।

ଅନ୍ୟପକ୍ଷରେ ସ୍ଥାନୀୟ ଭାବେ ପ୍ରସ୍ତୁତ ତାଜା ପନିର ପ୍ରତି ଗ୍ରାହକଙ୍କ ଆଗ୍ରହ ବଢ଼ିବା ଦେଖାଯାଉଛି। ବାହାର ରାଜ୍ୟରୁ ଆସୁଥିବା କେତେକ ପନିରର ମାନ ଓ ସ୍ୱାସ୍ଥ୍ୟ ଉପଯୋଗିତା ନେଇ ପୂର୍ବରୁ ଅଭିଯୋଗ ରହିଥିଲା। ଅପମିଶ୍ରଣ, କେମିକାଲ ଓ ସିନ୍ଥେଟିକ ଉପାଦାନ ବ୍ୟବହାର ନେଇ ମଧ୍ୟ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଛି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ନିର୍ଦ୍ଧାରଣ ପାଇଁ ନିୟମିତ ନମୁନା ପରୀକ୍ଷା ଓ ବୈଜ୍ଞାନିକ ଯାଞ୍ଚ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ବାହାରୁ ଆସୁଥିବା ପନିର ଯୋଗାଣ କମିବା ଫଳରେ ସ୍ଥାନୀୟ ଗୋପାଳକ ଓ ଦୁଗ୍ଧ ଚାଷୀଙ୍କ ପାଇଁ ଏକ ନୂଆ ବଜାର ସୁଯୋଗ ସୃଷ୍ଟି ହୋଇଛି। ସ୍ଥାନୀୟ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହ ପନିର ପ୍ରସ୍ତୁତି ଓ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ମିଳିଲେ ଚାଷୀମାନେ ଉପଯୁକ୍ତ ମୂଲ୍ୟ ପାଇବା ସହ ଖାଉଟିମାନେ ତାଜା ଓ ମାନସମ୍ମତ ପନିର ପାଇପାରିବେ। କୋରାପୁଟର ବୁଦ୍ଧିଜୀବୀ ଓ ଖାଉଟି ମହଲ ପକ୍ଷରୁ ନକଲି ଓ ଅପମିଶ୍ରିତ ଖାଦ୍ୟ ବିରୋଧରେ ପ୍ରଶାସନର ଅଭିଯାନକୁ ସ୍ୱାଗତ କରାଯାଇଛି। ସହରର ବିଭିନ୍ନ ମିଠା ଦୋକାନ, ହୋଟେଲ ଓ ଖାଦ୍ୟ ପ୍ରସ୍ତୁତି କେନ୍ଦ୍ରରୁ ନିୟମିତ ନମୁନା ସଂଗ୍ରହ କରି ପରୀକ୍ଷା କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଜାରି ରଖିବାକୁ ଦାବି ହେଉଛି।