ପ୍ରଥମେ ସୀମା ପୁନଃନିର୍ଦ୍ଧାରଣ, ପରେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟ ମାନ୍ୟତା : ଶାହ

ଜମ୍ମୁ: ୩ ଦିନିଆ ଜମ୍ମୁ ଓ କଶ୍ମୀର ଗସ୍ତରେ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଜମ୍ମୁ ଓ କଶ୍ମୀରରୁ  ଧାରା ୩୭୦ ଉଚ୍ଛେଦ ହେବା ପରେ ଅମିତ ଶାହାଙ୍କ ଏହା ପ୍ରଥମ ଗସ୍ତ । ଶ୍ରୀନଗରରେ ପହଞ୍ଚି ପ୍ରଥମେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଇନ୍ସପେକ୍ଟରଙ୍କ ପରିବାରକୁ ଭେଟିଥିଲେ ଗୃହମନ୍ତ୍ରୀ ଏବଂ ପରିବାରର ଜଣଙ୍କୁ ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ଲାଗି  ରାଜଭବନରେ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲେ।

ଏହି ବୈଠକରେ ପରେ ଜମ୍ମୁ ଓ କଶ୍ମୀରର ୟୁଥ କ୍ଲବର ସଦସ୍ୟମାନଙ୍କ ସହିତ କଥା ହୋଇ ଶାହ କହିଥିଲେ ଯେ, ଆମେ କାହିଁକି ସୀମା ପୁନଃନିର୍ଦ୍ଧାରଣ ବନ୍ଦ କରିବୁ? ଏବେ କଶ୍ମୀରରେ କିଛି ବନ୍ଦ ହେବ ନାହିଁ | ଜମ୍ମୁ ଓ କଶ୍ମୀରରେ ଏବେ ନିର୍ବାଚନ ହେବ | ନିର୍ବାଚନ ପରେ ପ୍ରଥମେ ସୀମା ପୁନଃନିର୍ଦ୍ଧାରଣ ହେବ ଏବଂ ପରେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯିବ, ଯାହାଦ୍ୱାରା କଶ୍ମୀରର ଯୁବକଯୁବତୀମାନେ ବିଭିନ୍ନ ସୁଯୋଗ ପାଇବାରୁ ବଞ୍ଚିତ ହେବେ ନାହିଁ | ମୁଁ କଶ୍ମୀରୀ ଯୁବକଯୁବତୀମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିବାକୁ ଏଠାକୁ ଆସିଛି | ଜାମ୍ମୁ-କଶ୍ମୀରରେ ବିକାଶରେ କେହି ବାଧା ଦେଇ ପାରିବେ ନାହିଁ | ଶାନ୍ତି ଭଙ୍ଗ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୟ, ଆତଙ୍କବାଦ, ଦୁର୍ନୀତି ଏବଂ ପରିବାର ଭିତ୍ତିକ ରାଜନୀତିରୁ ବାହାରି ଶାନ୍ତି, ବିକାଶ ଏବଂ ସମୃଦ୍ଧି ରାସ୍ତାରେ କଶ୍ମୀର ଯିବ।  ଜମ୍ମୁ-କଶ୍ମୀରର ଯୁବକଯୁବତୀମାନେ ଏହି ପରିବର୍ତ୍ତନକୁ ମଜବୁତ କରିଛନ୍ତି। ଆତଙ୍କବାଦ ହ୍ରାସ ପାଇଛି ଏବଂ ପଥର ଫିଙ୍ଗିବା ଘଟଣା ବି କମ ହୋଇଛି | ମୁଁ ଆପଣଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଜମ୍ମୁ-କଶ୍ମୀରର ଶାନ୍ତି ଏବଂ ସୌହାର୍ଦ୍ଦ୍ୟକୁ ଭଙ୍ଗ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଠାରେ ବିକାଶରେ କେହି ବାଧା ଦେଇ ପାରିବେ ନାହିଁ।

Related Posts