ବ୍ରିଟେନରେ ବ୍ୟାପୁଛି ଡେଲ୍ଟା ପ୍ଲସ୍ ଭାରିଆଣ୍ଟ, ପ୍ରତ୍ୟେକ ଦିନ ୪୦ ହଜାର ଉପରେ ରହୁଛି ସଂକ୍ରମଣ

ଲଣ୍ଡନ : ଡେଲ୍ଟା ଭାରିଆଣ୍ଟର ନୂଆ ପ୍ରଜାତିକୁ ନେଇ ଚିନ୍ତାରେ ବ୍ରିଟେନ୍ ସରକାର । ଡେଲ୍ଟାର ଏହି ନୂଆ ଭାରିଆଣ୍ଟର ନାଁ ରହିଛି, ଡେଲ୍ଟା ପ୍ଲସ୍-ଭିୟୁଆଇ- ଟ୍ୱେଷ୍ଟିଫାଷ୍ଟ ଅକ୍ଟୋବର-ଜିରୋ ୱାନ୍ । ଆଉ ଏହାକୁ ନେଇ ବ୍ରିଟେନ୍ ସରକାର ଚଳାଇଛି ଅନୁସନ୍ଧାନ । କାରଣ ଏହି ନୂଆ ଭାରିଆଣ୍ଟ ପାଇଁ ଦେଶରେ ପୁଣିଥରେ ବଢିବାରେ ଲାଗିଲାଣି ସଂକ୍ରମଣ । ଗତ ଏକ ସପ୍ତାହ ଧରି ବ୍ରିଟେନରେ କ୍ରମାଗତ ଭାବେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେହିପରି ୩ଦିନ ହେବ ଦେଶରେ ୪୦ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ଦେଶରେ ସମସ୍ତ କୋଭିଡ୍ କଟକଣାକୁ ବୋରିସ ଜନସନଙ୍କ ସରକାର ହଟାଇ ଦେଇଛନ୍ତି । ହେଲେ କୋଭିଡ୍ ନିୟମ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି । ସାର୍ବଜନୀନ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିପରି ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ଉପଦେଶ ଦିଆଯାଉଛି । ସେପଟେ କରୋନାର ଏହି ନୂଆ ଭାରିଆଣ୍ଟକୁ ବେଶ ଗମ୍ଭୀର ଭାବେ ନେଇଛନ୍ତି ବୈଜ୍ଞାନିକମାନେ । ଏହି ଭୂତାଣୁ କୋଭିଡ୍ ଟିକାର ଉଭୟ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରୁଥିବା ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ଏହାକୁ ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି । ସେହିପରି ଏହି ନୂଆ ଭୂତାଣୁକୁ ‘ଭାରିଆଣ୍ଟ ଅଣ୍ଡର ଇନଭେଷ୍ଟିଗେସନ୍’ ଭାବେ ଘୋଷଣା କରିଛି ବ୍ରିଟେନ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

Related Posts