ସମ୍ବଲପୁର, (ସତ୍ୟପାଠବ୍ୟୁରୋ): ଫୁଲୁଛି ହୀରାକୁଦ ଜଳଭଣ୍ଡାର। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଜଳଭଣ୍ଡାରର ୧୬ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ରହିଛି। ଆଜି ଦିନ ୧୨ ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୨.୮୭ ଫୁଟ୍‌ ରହିଥିବାବେଳେ ଏହା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବାମପାର୍ଶ୍ୱରେ ୧୧ଟି ଓ ଡାହାଣପାର୍ଶ୍ୱରେ ୫ଟି ଗେଟ୍‌ ଖୋଲା ରହିଛି। ଜଳଭଣ୍ଡାରକୁ ହାରାହାରି ୨,୯୭,୧୬୩ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ଅପରପକ୍ଷରେ ହାରାହାରି ୨,୮୬,୧୧୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ସ୍ପିଲୱେ ଦେଇ ୨,୫୪,୨୨୪ କ୍ୟୁସେକ୍‌, ପାୱାର ଚ୍ୟାନେଲ ଦେଇ ୨୮,୯୫୧ କ୍ୟୁସେକ୍‌ ଓ ଶିଳ୍ପ ବ୍ୟବହାର ପାଇଁ ୨୨୯ କ୍ୟୁସେକ୍‌ ଜଳ ଯାଉଛି। ବିଭିନ୍ନ କେନାଲ ମାଧ୍ୟମରେ ମୋଟ ୨,୭୧୨ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ବେଲଗାଁରେ ୯୨,୦୦୦ କ୍ୟୁସେକ୍‌, ପଥର୍ଲାରେ ୨,୦୧,୯୪୪ କ୍ୟୁସେକ୍‌, ଖଇରମାଳରେ ୫,୯୦,୦୦୦ କ୍ୟୁସେକ୍‌, ବରମୂଳରେ ୩,୧୧,୦୦୦ କ୍ୟୁସେକ୍‌ ଓ ମୁଣ୍ଡଳୀରେ ୨,୦୯,୫୩୬ କ୍ୟୁସେକ୍‌ ଜଳପ୍ରବାହ ରେକର୍ଡ ହୋଇଛି। ପଥର୍ଲା, ଖଇରମାଳ ଓ ବରମୂଳରେ ଜଳପ୍ରବାହ ବୃଦ୍ଧିମୁଖୀ ରହିଛି। ଜଳଭଣ୍ଡାର ଅଞ୍ଚଳରେ ବର୍ଷା ପରିମାଣ ମଧ୍ୟ ଜଳପ୍ରବାହ ଉପରେ ପ୍ରଭାବ ପକାଉଛି। ବୁର୍ଲାରେ ୩.୬ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ଜଳସ୍ତର ଓ ତଳମୁଣ୍ଡର ପ୍ରବାହ ବୃଦ୍ଧି ହେଉଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ଥିତି ଉପରେ ନଜର ରହିଛି। ହୀରାକୁଦ ନଦୀବନ୍ଧର ସ୍ଥିତି ଉପରେ କଡା ନଜର ରଖାଯାଇଛି। ନଦୀବନ୍ଧର ଜଳସ୍ତର ଦେଖି ସ୍ଲୁଇସ୍‌ ଗେଟ୍‌ କମ ବା ବେଶୀ ହେବାର ସମ୍ଭାବନା ମଧ୍ୟ ରହିଛି। ଫଳରେ ତଳ ମୁଣ୍ଡରେ ସତର୍କ ରହିବାକୁ ବିଭାଗୀୟ ସତର୍କତା ଜାରି କରିଛି।