ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଅଣସର ପଞ୍ଚମୀରେ ଶ୍ରୀଜିଉଙ୍କୁ ଫୁଲୁରୀ ତେଲ ଲାଗି ପରେ ଠାକୁରଙ୍କୁ ଜ୍ବର ଓ କଷ୍ଟରୁ ମିଳିଛି ଉପଶମ। ଠାକୁରଙ୍କ ଶ୍ରୀଅଙ୍ଗ ଓ ପାଦ ପଦ୍ମରେ ଫୁଲୁରୀ ତେଲ ଘଷିଛନ୍ତି ଦଇତାପତି ସେବାୟତ।
ଦାରୁବ୍ରହ୍ମଙ୍କ ଅନବସର ସେବାକ୍ରମରେ ଶ୍ରୀମନ୍ଦିର ଅଣସର ଘରେ ଶ୍ରୀଅଙ୍ଗ ଖୋଲିବା ପରେ ଠାକୁରଙ୍କ ଫୁଲୁରୀ ତେଲ ଲାଗି ନୀତି ହୋଇଛି । ଏନେଇ ପୁରୀ ବଡ଼ ଓଡ଼ିଆ ମଠ ଫୁଲୁରୀ ତେଲ ଯୋଗାଇ ଦେଇଛି। ବଡ଼ଓଡ଼ିଆ ମଠରୁ ଶ୍ରୀମନ୍ଦିରକୁ ବିଜେ କରିଥିଲା ଫୁଲୁରୀ ତେଲ । ରାତିରେ ଠାକୁରଙ୍କ ପାଦପଦ୍ମରେ ଫୁଲୁରୀ ତେଲ ଘଷା ପରେ ଉପଶମ ଲଭିଛନ୍ତି ଠାକୁରେ । ଆଗକୁ ଶ୍ରୀବିଗ୍ରହଙ୍କ ଓଷ ଲାଗି ଆରମ୍ଭ ହେବ । ଝୁଣା ଗୁଣ୍ଡରେ ରାଶି ତେଲର ମିଶ୍ରଣ ହେଉଛି ଓଷ । ପରେ ଦଷମୂଳ ଔଷଧ ସେବନ କରି ସୁସ୍ଥ ହେବେ ମହାପ୍ରଭୁ । ବଡ଼ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀଙ୍କ ତତ୍ତ୍ୱାବଧାନରେ ଫୁଲୁରୀ ତେଲ ପ୍ରସ୍ତୁତ ହୋଇଥିଲା । ଏସବୁ ଠାକୁରଙ୍କ ଗୁପ୍ତ ପୂଜା । ହେରାପଞ୍ଚମୀ ତିଥିରେ ତିନିଟି ତିନି ସେରିଆ ମାଟି ଘଡ଼ିରେ ଘଣା ପେଡ଼ା ରାଶି ତେଲ ସହ କୃଷ୍ଣଭାଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତି, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ, ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆ ସର ଆଦିକୁ ମିଶାଇ ଏକ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ପୋତି ରଖାଯାଏ । ଦେବସ୍ନାନ ପୂର୍ଣ୍ଣିମା ଦିନ ମାଟିରୁ ବାହାର କରାଯାଇଥାଏ । ଏହି ଅବଧିରେ ମିଶ୍ରିତ ତୈଳ ଔଷଧରେ ରୂପାନ୍ତରିତ ହୋଇଯାଇଥାଏ । ଶନିବାର ମହନ୍ତଙ୍କ ନିକଟକୁ ଶ୍ରୀମନ୍ଦିରରୁ ଡାକରା ଯାଇଥିଲା । ପରେ ସ୍ନାନପୂର୍ଣ୍ଣିମାରେ ମାଟି ତଳୁ ବାହାରିଥିବା ତେଲକୁ ଭଲ ଭାବେ ଛଣା ହୋଇ ପାଟି ପାତ୍ରରେ କଦଳୀ ପତ୍ର ଘୋଡ଼ାଇ ପ୍ରସ୍ତୁତ ହେଲା। ୨ଟି ମାଟି ପାତ୍ରରେ ରହିଥିଲା ଫୁଲୁରୀ ତେଲ । ମାନସ ରଥ ଓ ଅନ୍ୟ ସହଯୋଗୀମାନେ ଠାକୁରଙ୍କ ତେଲ ଶ୍ରୀମନ୍ଦିରରେ ପହଞ୍ଚାଇଥିଲେ । ସୁନା କୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଠାକୁରେ ଅସୁସ୍ଥ ହେବାରେ ଉପଶମ ପାଇଁ ଦଇତାପତି ସେବକମାନେ ଏକ ବସ୍ତ୍ର ପରିଧାନ କରି ଠାକୁରଙ୍କ ଗୁପ୍ତ ସେବା କରୁଛନ୍ତି ।
