ଭୁବନେଶ୍ୱର ଏକାମ୍ର ଅଞ୍ଚଳର ହେବ ବିକାଶ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ୧୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ୟ୍ୟକରଣ, କେଦାରଗୌରୀ ପାଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ବପର୍ଣ୍ଣ ପ୍ରକଳ୍ପ ଆରମ୍ଭ କରାଯାଇଛି ।
ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ,ଲିଙ୍ଗରାଜ ଅଞ୍ଚଳକୁ ସୁନ୍ଦର କରି ଗଢିତୋଳିବା ପାଇଁ ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି । ଏହା ଶେଷ ହେଲେ ଭୁବନେଶ୍ବରର ଗରିମା ଆହୁରି ବୃଦ୍ଧି ପାଇବ ।
ଏହି କାର୍ୟ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଜଳସେଚନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ
