ବରଗଡ଼,(ସତ୍ୟପାଠ ବ୍ୟୁରୋ): ବରଗଡ଼ର ସ୍ଥାନୀୟ କୋର୍ଟ ସମ୍ମୁଖରେ କିଛି ଦୁର୍ବୃତ୍ତ ଜିଲ୍ଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସରାଫଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତକୁ ବରଗଡ଼ ଟାଉନ ଥାନା ପୋଲିସ ଗିରଫ କରିଛି। ଅନ୍ୟପକ୍ଷରେ ବରଗଡ଼ ଏସପି ରବିନ୍ଦ୍ରନାଥ ଶତପଥୀ ଡାକ୍ତରଖାନା ପହଞ୍ଚି ସରାଫଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ସୂଚନା ଅନୁଯାୟୀ, ଓକିଲ ସଂଘ ସଭାପତି ସରାଫ ନିଜ କାର୍‌ ଯୋଗେ କୋର୍ଟକୁ ଆସୁଥିଲେ। ଏହି ସମୟରେ କୋର୍ଟ ସମ୍ମୁଖରେ ୩ବାଇକ ଆରୋହୀ ପଡିଯିବାରୁ ସରାଫ କାର୍‌ ଭିତରୁ ଓହ୍ଲାଇ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଥିଲେ। କିନ୍ତୁ ସେହି ୩ବାଇକ ଆରୋହୀ ବାଇକ ଭିତରୁ ମଦ ବୋତଲ ବାହାର କରି ସରାଫଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। କୋର୍ଟ ପରିସରରେ ରହିଥିବା ଅନ୍ୟ ଓକିଲମାନେ ସେଠାକୁ ପହଞ୍ଚି ସରାଫଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ଘଟଣାକୁ ନେଇ ଓକିଲ ସଂଘ ଉଦବେଗ ପ୍ରକାଶ କରିଥିବାବେଳେ ଏହି ଘଟଣାରୁ ସହରର ସୁରକ୍ଷା ବ୍ୟବସ୍ଥା ତଥା ସୁରକ୍ଷା କ୍ଷେତ୍ରରେ ପୋଲିସର ଢିଲା ପଦାରେ ପଡିଯାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।