ଭୁବନେଶ୍ଵର(ସତ୍ୟପାଠବ୍ୟୁରୋ) : ପ୍ରଥମରୁ ଅଷ୍ଟମ ଶ୍ରେଣୀର ପୁସ୍ତକରେ ମାଳ ମାଳ ତ୍ରୁଟିକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ଯାହାକୁ ନେଇ ଆଜି ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ପିଲାଙ୍କୁ ନୂଆ ବହି ଯୋଗାଇ ଦିଆଯିବା ସହ ସଂଶୋଧିତ ପୁସ୍ତକରେ ପାଠ ପଢିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ ତିରୁମାଲା ନାଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ପାଇଁ ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କ ମତାମତ ନିଆଯିବ। ଗଣଶିକ୍ଷା ବିଭାଗର ୱେବସାଇଟରେ ଏ ନେଇ ପ୍ରକାଶ କରାଯିବ। ସମ୍ପୂର୍ଣ୍ଣ ସଂଶୋଧନ ପରେ ସରକାର ନୂଆ ବହି ଯୋଗାଇ ଦେବେ। ଯଥାଶୀଘ୍ର ନୂଆ ବହି ଯୋଗାଇଦେବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ପୁରୁଣା କମିଟି ସହ ନୂଆ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଛି। ବିଶେଷଜ୍ଞ ଏବଂ ବିଭାଗର ବରିଷ୍ଠ ଅଧିକାରୀମକୁ ମଧ୍ୟ ସାମିଲ କରାଯାଇଛି। ଗଣଶିକ୍ଷା ସଚିବ କହିଛନ୍ତି ଯେ, ତ୍ରୁଟିର ଏବେ ତର୍ଜମା ଚାଲିଛି। ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ସମସ୍ତଙ୍କ ଅବଗତି ପାଇଁ ବହି ଉପଲବ୍ଧ ହେବ। SCERT ଟିମ୍, ସମ୍ପାଦନା ମଣ୍ଡଳୀ ଓ ଶିକ୍ଷାବିତ ତ୍ରୁଟି ଉପରେ ତର୍ଜମା କରୁଛନ୍ତି। ବାସ୍ତବରେ ଯେତିକି ତ୍ରୁଟି ଉପରେ ଚର୍ଚ୍ଚା ଆଲୋଚନା ହେଉଛି ସେତିକି ତ୍ରୁଟି ନାହିଁ। କିଛି ଶବ୍ଦ, ବନାନକୁ ନେଇ ଭିନ୍ନ ଭିନ୍ନ ଦ୍ଵନ୍ଦ ରହିଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସହ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶବ୍ଦ ଓ ବ୍ୟାକରଣଗତ ତ୍ରୁଟିର ତର୍ଜମା ହେଉଛି। ଯେତେ ଶୀଘ୍ର ସମ୍ଭବ ଆମେ ପିଲାଙ୍କୁ ବହି ଯୋଗାଇ ଦେବାକୁ କାମ କରୁଛୁ।