ନୂଆଦିଲ୍ଲୀ (ସତ୍ୟପାଠ ବ୍ୟୁରୋ): ପୁନେର କେତନ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି। ସାଧାରଣତଃ ହିନ୍ଦୁ ସମାଜରେ ବିବାହ ପୂର୍ବରୁ ଉଭୟ ବର ଓ କନ୍ୟାଙ୍କ କୁଣ୍ଡଳୀ ମ୍ୟାଚ ହୋଇଥାଏ। ଏମାନଙ୍କ ବି କୁଣ୍ଡଳୀ ମ୍ୟାଚ୍ କରାଇଥିଲେ ଜ୍ୟୋତିଷ। ୩୬ ଗୁଣରୁ ୨୭ ଗୁଣ ମିଶୁଥିବାରୁ ଆଦର୍ଶ ବିବାହ ହେବ ବୋଲି କହିଥିଲେ ପଣ୍ଡିତ। ଏହି ସମ୍ପର୍କକୁ ପରଫେକ୍ଟ ମ୍ୟାଚ୍ ମାନି ସାରିଥିଲେ ଗୋୟଲ ଏବଂ ଅଗ୍ରୱାଲ ପରିବାର। ସମ୍ପୂର୍ଣ୍ଣ ରୀତିନୀତିରେ କରିଥିଲେ ନିର୍ବନ୍ଧ। ହେଲେ କିଛି ଦିନ ଭିତରେ ସବୁ କିଛି ହୋଇଗଲା ଓଲଟ ପାଲଟ। ସାରା ଦେଶରେ ଚର୍ଚ୍ଚିତ ବିଷୟ ପାଲଟିଲା ଏହି ଏହି ହତ୍ୟା ଘଟଣା। ସୂଚନାନୁଯାୟୀ, ୨୦୨୬ ଜାନୁଆରୀରେ କେତନ ଅଗ୍ରୱାଲ ଏବଂ ସିୟା ଗୋୟଲଙ୍କ ପରିବାର ଦୁହିଁଙ୍କ କୁଣ୍ଡଳୀ ମ୍ୟାଚ୍ କରାଇଥିଲେ। ଏଥିପାଇଁ ଜଣେ ଜ୍ୟୋତିଷଙ୍କୁ ଘରକୁ ଡକାଇଥିଲେ। ଜ୍ୟୋତିଷଙ୍କ ଗଣନା ଅନୁସାରେ କେତନଙ୍କ ଦେବ ଗଣ ଏବଂ ସିୟାଙ୍କର ମନୁଷ୍ୟ ଗଣ ପଡ଼ିଥିବା କହିଥିଲେ। ବିବାହ ପାଇଁ ଏହା ଅନୁକୂଳ ସମ୍ପର୍କ କହିବାରୁ ଦୁହିଁଙ୍କ ପରିବାର ବିବାହ ପାଇଁ ରାଜି ହେଲେ। ଫେବୃଆରୀରେ ଦୁଇ ପରିବାର ପୁନେରେ ଏକ ହୋଟେଲରେ ନିର୍ବନ୍ଧ କରାଇବାକୁ ନିଷ୍ପତ୍ତି ନେଲେ। ବିବାହ ଆୟୋଜନ ମଧ୍ୟ ଜୋରସୋରରେ ଚାଲିଲା। ନିର୍ବନ୍ଧ ପରେ ସିୟା ନୂଆ ସମ୍ପର୍କ ସହ ଆଗକୁ ବଢିବାକୁ ବହୁ ଚେଷ୍ଟା କଲେ। ହେଲେ ସିୟାଙ୍କ ପୂର୍ବତନ ପ୍ରେମିକ ଚେତନ ଚୌଧୁରୀ ପୁଣି ତାଙ୍କ ଜୀବନକୁ ଏଣ୍ଟ୍ରି କଲେ। ଦୁହେଁ ମିଶି କେତନଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ବିବାହ ନିକଟବର୍ତ୍ତୀ ହେବାରୁ ସିୟାଙ୍କ ବ୍ୟବହାରରେ ପରିବର୍ତ୍ତନ ହେଲା। ସେ ଛୋଟ ଛୋଟ କଥାରେ କେତନଙ୍କ ସହ ଝଗଡ଼ା କରୁଥିଲେ। ଏନେଇ ତାଙ୍କ ପରିବାର ଲୋକ ଚିନ୍ତିତ ଥିଲେ। ପରେ ଜୁନ୍ ୧୪ରେ କେତନ ଓ ସିୟା ଲୋହାଗଡ଼ ଯାଇଥିଲେ। ସେଦିନ କେତନ ମରୁ ମରୁ ବଞ୍ଚି ଯାଇଥିଲେ। ହେଲେ ୪ ଦିନ ପରେ ୧୮ ତାରିଖ ଦିନ କେତନ ଲୋହାଗଡ଼ରୁ ଖସି ପ୍ରାଣ ହରାଇଥିଲେ। ପୁଲିସ ଏହି ଘଟଣାର ତଦନ୍ତ କରି ବଡ଼ ହତ୍ୟା ଷଡ଼ଯନ୍ତ୍ରର ଖୁଲାସା କରିଥିଲା।