ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ) : ନିଟ୍ ପ୍ରଶ୍ନପତ୍ର ଲିକ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଦୀର୍ଘ ଦିନ ଧରି ଆମରଣ ଅନଶନ ଚାଲିଥିବାବେଳେ ନେତା ମନ୍ତ୍ରୀଙ୍କ କାନରେ ପଡ଼ୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ପରୀକ୍ଷା ଅନିୟମିତତା ବିରୋଧରେ ୧୭ ଦିନ ହେବ ଆମରଣ ଅନଶନରେ ବସିଥିବା ପ୍ରତିଷ୍ଠିତ ପରିବେଶବିତ୍ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ହୋଇପଡ଼ିଛି । ଯଦି ଏହିଭଳି ଅନଶନ ଜାରି ରହେ, ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ସେ ପ୍ରାଣ ହରାଇପାରନ୍ତି ବୋଲି ଆକ୍ଟିଭିଷ୍ଟ ତଥା ଆଇନଜୀବୀ ରାକେଶ କୁମାର ସୈନୀଙ୍କ ଦ୍ୱାରା ଦାୟର ଏକ ଆବେଦନରେ ଦର୍ଶାଯାଇଛି। ତାଙ୍କ ଜୀବନ ରକ୍ଷା ପାଇଁ ଡାକ୍ତରଖାନା ନେଇ ଲିକ୍ୱିଡ୍ ଡାଏଟ୍ ଜରିଆରେ ଖାଇବାକୁ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ନିକଟତମ ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାୟୀ ତାଙ୍କ ଓଜନ ୮.୫ କିଲୋଗ୍ରାମ ହ୍ରାସ ପାଇବା ସହ ରକ୍ତଚାପ ଖସିଛି। ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ଜନ୍ତରମନ୍ତରଠାରେ ଏହି ପ୍ରତିବାଦ ସଭା ଚାଲିଛି। ଏଭଳି ପରିସ୍ଥିତିରେ ସରକାର ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଥିବା ବେଳେ ୱାଙ୍ଗଚୁକଙ୍କୁ ଜଣେ ଦେଶଦ୍ରୋହୀ ଭଳି ବ୍ୟବହାର କରାଯାଉଛି । ସିଜେପି ମୁଖ୍ୟ ଅଭିଜିତ ଦିପକେ କହିଛନ୍ତି ଯେ ୱାଙ୍ଗଚୁକ ଅତ୍ୟନ୍ତ କଷ୍ଟରେ ଅଛନ୍ତି ଏବଂ ଠିଆ ହେବା ସମୟରେ ତାଙ୍କୁ ମୁଣ୍ଡ ବୁଲାଉଛି। ଏହି ଆନ୍ଦୋଳନକୁ ଶିକ୍ଷାବିତ୍ ଏବଂ ରାଜନୈତିକ ନେତାଙ୍କ ବ୍ୟାପକ ସମର୍ଥନ ମିଳୁଥିବା ବେଳେ ଆସନ୍ତା ଜୁଲାଇ ୨୦ ତାରିଖ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସଂଗଠନ ପକ୍ଷରୁ ସଂସଦ ଅଭିମୁଖେ ଏକ ବଡ଼ ଧରଣର ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରାଯିବ ।