ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଗତ କିଛି ଦିନରୁ ହଟଚମଟ ଦେଖାଦେଇଛି। ଅପରେସନ ଟାଇଗର ବନାମ ଅପରେସନ ୱଲ୍ଫ ମଧ୍ୟରେ ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ଦଳର ବିଭାଜନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଉଭୟ ଶିବସେନାର ୬୦ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ଏହି ଅବସରରେ ସିନ୍ଦେ ପରୋକ୍ଷରେ ସିଂହ, କୁକୁର ଭୁକିବା ବିଷୟ କହିବା ସହ ରାଜନୈତିକ ଟ୍ରେଲର ବିଷୟରେ କହିଥିବା ବେଳେ ଉଦ୍ଧବ ଠାକରେ ଦଳୀୟ କର୍ମୀଙ୍କୁ ଏକ ଭାବପ୍ରବଣ ଆହ୍ବାନ ଦେଇଥିଲେ। ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି)ର ନଅ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ଛଅ ଜଣ ଶିନ୍ଦେଙ୍କ ନେତୃତ୍ୱାଧୀନ ପ୍ରତିଦ୍ୱନ୍ଦ୍ୱୀ ଶିବସେନାରେ ଯୋଗଦେବାର ଖବର ମଧ୍ୟରେ ଗତକାଲି ମୁମ୍ବାଇରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଶିନ୍ଦେ ତାଙ୍କ ଗୋଷ୍ଠୀକୁ ବାଲାସାହେବ ଠାକରେଙ୍କ ରାଜନୈତିକ ଐତିହ୍ୟର ପ୍ରକୃତ ଉତ୍ତରାଧିକାରୀ ଭାବରେ ଚିତ୍ରଣ କରି କହିଥିଲେ ଯେ, ଉତ୍ତରାଧିକାର ରକ୍ତ ସମ୍ପର୍କ ଦ୍ୱାରା ନୁହେଁ, ବରଂ ବିଚାରଧାରା ଦ୍ୱାରା ନିର୍ଣ୍ଣୟ କରାଯାଏ। ଶିବସେନା ଏକ ଭୂମି ଖଣ୍ଡ ନୁହେଁ; ଏହା ଲକ୍ଷ ଲକ୍ଷ ଲୋକଙ୍କ ବିଚାରଧାରା। ସେ ଆହୁରି କହିଥିଲେ, ଏହା କେବଳ ଟ୍ରେଲର। ପ୍ରକୃତ ସିନେମା ଆସିବାକୁ ବାକି ଅଛି। ଆଜି ତୁମ ଆଗରେ ଏକ ସିଂହ ଠିଆ ହୋଇଛି। କିଛି କୁକୁର ଭୁକୁଛନ୍ତି। କିନ୍ତୁ କୁକୁରମାନେ ଦଳ ଦଳ ହୋଇ ଭୁକନ୍ତି, ହେଲେ ଏକ ସିଂହ ଏକା ଆସିଥାଏ। ଯେତେବେଳେ ସିଂହ ଶିକାର କରେ ଓ ଗର୍ଜନ କରେ, ସେତେବେଳେ କୁକୁରମାନେ ଭୁକନ୍ତି ବୋଲି ସେ କହିଛନ୍ତି।
