ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ରେଙ୍ଗା ଗ୍ରାମରେ ଅଘଟଣ । ବିଷାକ୍ତ ମଦ୍ୟପାନ କରି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ହେଲେ ଧନେଶ୍ୱର ଝୋଡ଼ିଆ (୫୨) ଓ ବିଶୁ ଝୋଡ଼ିଆ (୪୮)। ଅନ୍ୟପଟେ ଏହି ଘଟଣାକୁ ନେଇ ପରିବାର ଓ ସଂପର୍କୀୟ ଲୋକ ପୁଲିସ୍, ପ୍ରଶାସନକୁ କିଛି ନ ଜଣାଇ ମୃତଦେହ ପୋଡ଼ି ଦେଇଛନ୍ତି। ପୁଲିସ୍ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
କିଛିଦିନ ତଳେ ରେଙ୍ଗା ଗ୍ରାମର ଭୁବନ ଝୋଡ଼ିଆଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ଭୁବନଙ୍କ ଦଶାହ ଭୋଜିରେ ଯୋଗଦେବାକୁ ଯାଇଥିଲେ ବିଶୁ ଓ ଧନେଶ୍ବର ଝୋଡ଼ିଆ। ଉଭୟେ ଭୋଜିରେ ପ୍ରଚୁର ମଦ୍ୟପାନ କରିବା ସହ ନିଶା ପାଇଁ କିଛି ଚେରମୂଳି ବ୍ୟବହାର କରିଥିଲେ। ଭୋଜି ଖାଇ ଅପରାହ୍ନରେ ଘରକୁ ଫେରିବା ପରେ ହଠାତ୍ ଧନେଶ୍ବର ଅସୁସ୍ଥ ହୋଇ ଯାଇଥିଲେ। ପରିବାର ଲୋକ ଡାକ୍ତରଖାନାକୁ ନେବାପାଇଁ ପ୍ରସ୍ତୁତ ହେଉଥିବାବେଳେ ଧନେଶ୍ୱରଙ୍କ ମୃତ୍ୟୁ ହୋଇଯାଇଥିଲା। ମଦ୍ୟପାନ କରିଥିବା ବିଶୁ ଝୋଡ଼ିଆଙ୍କ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଚିକିତ୍ସା ପାଇଁ କାଶୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାତି ୮ଟାରେ ବିଶୁଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର ଏନ୍. ନାୟକଙ୍କ ସୂଚନାନୁଯାୟୀ, ଅତ୍ୟଧିକ ମଦ୍ୟ ସେବନରୁ ମୃତ ବିଶୁଙ୍କ ଶର୍କରା ପରିମାଣ କମି ଯାଇଥିଲା। ମୃତ୍ୟୁ ପରେ ଉଭୟଙ୍କ ମରଶରୀରକୁ ପରିବାର ଲୋକ ପୋଡ଼ି ଦେଇଥିଲେ।
ଗୁରୁବାର ସକାଳେ ଏ ସଂପର୍କରେ କାଶୀପୁର ପୁଲିସ୍ ଖବର ପାଇବା ପରେ ଗାଁକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଦଶାହ ଭୋଜିକୁ ମଦ କେଉଁଠୁ ଆସିଥିଲା, କିଏ ଆଣିଥିଲା ସେ ନେଇ ପୁଲିସ୍ ଖୋଳତାଡ଼ ଜାରି ରଖିଛି। ଜିଲ୍ଲା ଅବକାରୀ ଅଧୀକ୍ଷକ ନେନା ବେଉରା ମଧ୍ୟ ରେଙ୍ଗା ଗାଁରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ବିଷାକ୍ତ ମଦ ଯୋଗୁ ଉଭୟଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରୁଥିବାରୁ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛି
