ବେଇଆନ୍ ବାଲି ଖନନ ମାମଲା: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନି

ବେଇଆନ୍ ବାଲି ଖନନ ମାମଲାରେ ଛନ୍ଦି ହୋଇଥିବା ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କୁ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ ।

୨୦୧୮ରେ ଯେତେବେଳେ କ୍ୟାପଟେନ୍ ଅମରିନ୍ଦର ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ବେଇଆନ୍ ବାଲି ଖନନ ମାମଲା ସାମ୍ନାକୁ ଆସିଥିଲା। ପଞ୍ଜାବ ପୁଲିସ୍ ଏକ ମାମଲା ରୁଜୁ କରି ଏହି ମାମଲାରେ ଚାଲାଣ ଉପସ୍ଥାପନ କରିଥିଲା। ତେବେ ସେହି ସମୟରେ ଭୂପିନ୍ଦର ସିଂହଙ୍କ ନାଁ ସାମ୍ନାକୁ ଆସିନଥିଲା। ଏଫଆଇଆର୍ ମୁତାବକ, ଏହି ମାମଲାରେ ୨୬ ଅଭିଯୁକ୍ତ ଅଛନ୍ତି। ଏଥିରେ ସାମିଲ୍ ୬ ଠିକାକାରଙ୍କ ବିରୋଧରେ ଇଡି ତଦନ୍ତ କରୁଛି।

ପଞ୍ଜାବ ପୁଲିସ୍ ପକ୍ଷରୁ ଦାଖଲ କରାଯାଇଥିବା ଏଫଆଇଆର୍ ଆଧାରରେ ଇଡି ମନି ଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଇଡି ଅଧିକାରୀଙ୍କ ମୁତାବକ, ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁଦରତସିଂହ ଦୁଇ ନିର୍ଦ୍ଦେଶକ ସନ୍ଦୀପ ସିଂହ ଓ ଭୂପିନ୍ଦର ସିଂହଙ୍କ ସହ ମିଶି ନୂଆ କମ୍ପାନୀ ଗଠନ କରିଥିଲେ।

ସୂଚନାଯୋଗ୍ୟ, ଗତ ୩ ତାରିଖ ମଧ୍ୟରାତ୍ରିରେ ଇଡି ହନୀଙ୍କୁ ଗିରଫ କରିଥିଲା। ଇଡିର ରେଡ୍ ବେଳେ ହନୀଙ୍କ ପାଖରୁ ୮ କୋଟିର ନଗଦ ଟଙ୍କା, ୨୧ ଲକ୍ଷର ସୁନା ଅଳଙ୍କାର, ୧୨ ଲକ୍ଷର ଗୋଟିଏ ଘଣ୍ଟା ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀକୁ ମିଶାଇ ମୋଟ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ମିଳିଥିଲା।

Related Posts