ନବୀନ ଅଛନ୍ତି, ଆମର ଆଉ ମଡେଲ ଫଡେଲ କିଛି ନାହିଁ: ଭୂପିନ୍ଦର ସିଂ

ଭୁବନେଶ୍ୱର୧୭/୧୨(ସତ୍ୟପାଠ ବ୍ୟୁରୋ): ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆରମ୍ଭ ହୋଇଛି ମଡେଲ ପଲିଟିକ୍ସ । ବିଜେଡି ପଦ୍ମପୁର ଉପନିର୍ବାଚନ ମଡେଲ କହୁଥିବା ବେଳେ ବିଜେପି ଧାମନଗର ମଡେଲ କଥା କହୁଛି। ତେବେ ଆଜି ବିଜେପି ପକ୍ଷରୁ ପଦ୍ମପୁର ପରାଜୟର ସମୀକ୍ଷା ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ଼ ବୟାନ ରଖିଛନ୍ତି ।

ସେ କହିଛନ୍ତି ଯେ, ବିଜେଡି ପାଖରେ ପଦ୍ମପୁର ମଡେଲ ହେଲେ ବିଜେପି ପାଖରେ ଧାମନଗର ମଡେଲ ରହିଛି । ଧାମନଗର ଓ ପଦ୍ମପୁର ଉପନିର୍ବାଚନ ବିଜେପିକୁ ଅନେକ ଶିକ୍ଷା ଦେଇଛି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରିବ ଦଳ । ଓଡ଼ିଶାବାସୀ ବିଜେପିଠାରୁ ଏହା ଆଶା କରୁଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

କେବଳ ଧର୍ମେନ୍ଦ୍ର ପ୍ରଧାନ ନୁହଁନ୍ତି ବିଜେଡିର ପଦ୍ମପୁର ମଡେଲକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ବି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଓଡିଶାରେ ମଡେଲ କିଛି ନାହିଁ । ଦୁର୍ନୀତି ଚାଲିଛି, ଭ୍ରଷ୍ଟାଚାର ଚାଲିଛି । କିନ୍ତୁ ବିଜେପିର ଗୁଜୁରାଟ ମଡେଲ ହେଉଛି ସ୍ୱଛ ଶାସନର ମଡେଲ ।

ତେବେ ବିଜେପି ନେତାଙ୍କ ଏଭଳି ପ୍ରତିକ୍ରିୟା ପରେ ଏହାର ଜବାବ ରଖିଛନ୍ତି ବିଜେଡି ନେତା । ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ହୃଦୟରେ ରହିଛନ୍ତି । ତାକୁ ଆଧାର କରି ବିଜୁ ଜନତା ଦଳ ନିର୍ବାଚନ ଲଢ଼ିବ। କେବଳ ୨୦୨୪ ନୁହେଁ ନିର୍ବାଚନ ଲାଗି ସବୁବେଳେ ବିଜେଡି ପ୍ରସ୍ତୁତ ଅଛି । ବିଜେଡି ମଡେଲରେ ବିଶ୍ଵାସ କରେନି । ମୁଖ୍ୟମନ୍ତ୍ରୀ ଓଡ଼ିଶାର ୪ କୋଟି ୫୦ ଲକ୍ଷ ଲୋକଙ୍କ ଉପରେ ସବୁବେଳେ ବିଶ୍ବାସ ରଖିଛନ୍ତି । ଆମର ମଡେଲ ଫଡେଲ କିଛି ନାହିଁ । କିଏ କଣ ମଡେଲ କଲା ଆମର କିଛି ଯାଏ ଆସେ ନାହିଁ । ବିଜେଡି ଲୋକଙ୍କ ସହିତ ଅଛି । ନବୀନ ପଟ୍ଟନାୟକ ଲୋକଙ୍କ ହୃଦୟରେ ବସିଛନ୍ତି । ନବୀନ କାହା ସହିତ ପ୍ରତିଦ୍ୱନ୍ଦିତା କରନ୍ତି ନାହିଁ । ସେ ସବୁବେଳେ ପଜିଟିଭ ଥାଆନ୍ତି । ଦଳରେ ବା ଦଳ ବିରୋଧରେ ଅସନ୍ତୋଷ ନାହିଁ, ଯାହା ପୌର ଓ ପଞ୍ଚାୟତ ନିର୍ବାଚନରେ ପ୍ରମାଣିତ ହୋଇସାରିଛି ବୋଲି ଭୂପିନ୍ଦର କହିଛନ୍ତି ।

Related Posts