ନୂଆଦିଲ୍ଲୀ : ବାଟବଣା ହୋଇଛି ମୌସୁମୀ। ଧୀରେ ଧୀରେ ଦୁର୍ବଳ ହୋଇପଡ଼ୁଥିବାବେଳେ ବର୍ଷାର ଦେଖା ନାହିଁ। ସାରା ଭାରତରେ ମରୁଡ଼ି ଅବସ୍ଥା ଦେଖା ଦେଇଥିବାବେଳେ ଖରିଫ ଚାଷ ନେଇ ଚିନ୍ତାରେ ଚାଷୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୪ ତାରିଖରେ ଭାରତ ପ୍ରବେଶ କରିଥିଲେ ମଧ୍ୟ ଦେଶର ବିଭିନ୍ନ ଭାଗରେ ପହଞ୍ଚି ପାରିନାହିଁ। ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ଯେ, ସାରା ଭାରତରେ ଏହି ଅସ୍ୱାଭାବିକ ବିଳମ୍ବ ହୁଏତ ଗୋଟିଏ କାରଣ ନୁହେଁ ବରଂ ଅନେକ ପାଣିପାଗ ପ୍ରଣାଳୀର ଜଟିଳ ପାରସ୍ପରିକ କ୍ରିୟା ଯୋଗୁଁ ହୋଇପାରେ। ପ୍ରାରମ୍ଭିକ ପର୍ଯ୍ୟାୟ ପରେ ସାରା ଦେଶରେ ମୌସୁମୀର ଅଗ୍ରଗତି ଅତି ମନ୍ଥର ହୋଇଯାଇଛି, ଫଳରେ ଦେଶର ବହୁ ଅଞ୍ଚଳରେ ବର୍ଷାର ତୀବ୍ର ଅଭାବ ଦେଖାଦେଲାଣି। ବର୍ଷା ଅଭାବରୁ ଚାଷୀର ଚିନ୍ତା ବଢ଼ିଗଲାଣି। ପାଣିପାଗ ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ, ପ୍ରଶାନ୍ତ ମହାସାଗରୀୟ ଅସ୍ଥିରତା ଓ ପଶ୍ଚିମ ଝଡ଼, ଦୁର୍ବଳ ନିମ୍ନ ଚାପରେଖା ଗଠନ, ମ୍ୟାଡେନ୍-ଜୁଲିଆନ୍ ଓସିଲେସନ୍‌ର ସମର୍ଥନର ଅଭାବ ଓ ଏଲ୍ ନିନୋ ଯୋଗୁଁ ମୌସୁମୀ ଅଗ୍ରଗତି ବାଧାପ୍ରାପ୍ତ ହୋଇଛି। ପଶ୍ଚିମ ପ୍ରଶାନ୍ତ ମହାସାଗରରୁ ସବୁଠାରୁ ଅଧିକ ପ୍ରଭାବ ଆସିଥିଲା। ଉତ୍ତର ଭାରତରେ ବାରମ୍ବାର ପଶ୍ଚିମା ଝଡ଼ ଯୋଗୁ ଶୁଷ୍କ ଉତ୍ତର-ପଶ୍ଚିମ ପବନ ଏହି ଅଞ୍ଚଳକୁ ପରିବହନ କରିଥିଲା, ଯାହା ଫଳରେ ବ୍ୟାପକ ମେଘ ଗଠନ ଓ ବର୍ଷା ପାଇଁ ପ୍ରତିକୂଳ ପରିବେଶ ସୃଷ୍ଟି ହୋଇଥିଲା। ମୌସୁମୀ ଟ୍ରଫ୍‌ (ନିମ୍ନ ଚାପରେଖା) ମଧ୍ୟ ସାଧାରଣ ନଥିଲା। ଏହାସହିତ ଏଲ ନିନୋ ପ୍ରଭାବ ପରିବେଶକୁ ଆହୁରି ଦୁର୍ବଳ କରିଦେଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।