ଭାରତ ଗସ୍ତରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଭାରତ ଆସୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ ।
ଭାରତ ଓ ଇସ୍ରାଏଲ ମଧ୍ୟରେ କୂଟନୈତିକ ସମ୍ପର୍କର 30 ବର୍ଷ ପୂର୍ତ୍ତି ଅବସରରେ ସେ ଭାରତ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ବେନେଟଙ୍କ ସହ ଅନ୍ୟ କିଛି ବରିଷ୍ଠ ଇସ୍ରାଏଲି ଅଧିକାରୀ ମଧ୍ୟ ଭାରତ ଆସିପାରନ୍ତି ବୋଲି ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲନ ଆଜି (ସୋମବାର) ସୂଚନା ଦେଇଛନ୍ତି । ତେବେ ଏହି ଗସ୍ତ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ତାରିଖ ଚୂଡାନ୍ତ ହୋଇନାହିଁ ।

ଦୁଇ ଦେଶ ମଧ୍ୟରେ ଦୀର୍ଘ ବର୍ଷର ଉତ୍ତମ ଦ୍ବିପାକ୍ଷିକ ସମ୍ପର୍କ ରହିଆସିଛି । ଚଳିତ ବର୍ଷ ଦୁଇ ଦେଶ କୂଟନୈତିକ ସମ୍ପର୍କ ୩୦ ବର୍ଷରେ ପହଞ୍ଚିଛି । ଏକ ଭର୍ଚ୍ଚୁଆଲ୍ ୱେବିନାରରେ ରାଷ୍ଟ୍ରଦୂତ ଗିଲନ୍ କହିଛନ୍ତି, ସେ ଭାରତରେ ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହେବାର ଅବସର ତାଙ୍କୁ ମିଳିଥିବାରୁ ସେ ବେଶ ଖୁସି । ଦୁଇ ଦେଶ ପରସ୍ପରର ବନ୍ଧୁ ଭାବେ କାର୍ଯ୍ୟ କରି ଆସୁଛନ୍ତି । ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ପରସ୍ପର ସହଭାଗିତାରେ ଉଭୟ ଭାରତ ଓ ଇସ୍ରାଏଲ ନିଜର ବନ୍ଧୁତ୍ବପୂର୍ଣ୍ଣ ଯାତ୍ରା ଜାରି ରଖିଛନ୍ତି । ଦୁଇ ଦେଶର ସମ୍ପର୍କରେ ଆହୁରି ସୁଦୃଢତା ଆଣିବା ପାଇଁ କୂଟନୈତିକ ସମ୍ପର୍କର ୩୦ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନଫ୍ଟାଲି ବେନେଟ୍ ଓ ଦେଶର ଅନ୍ୟ କିଛି ବରିଷ୍ଠ ନେତୃମଣ୍ଡଳୀ ଭାରତ ଗସ୍ତ କରିବେ ।

ଗତ ବର୍ଷ ଇସ୍ରାଏଲ ଗସ୍ତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ବେନେଟଙ୍କୁ ନିମନ୍ତ୍ରଣ କରିଥିଲେ ।

Related Posts