ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛି ଅନେକ ଦେଶ: ପାକିସ୍ତାନରୁ ବି ଛୁଟିଲା ଶୋକବାର୍ତ୍ତା

ଆରପାରିରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର | ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶିବାଜୀ ପାର୍କରେ ରୀତି ନୀତି ଅନୁସାରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ସାରା ଦେଶ ଏବେ ତାଙ୍କୁ ମନେ ପକାଇ ଝୁରୁଛି | ନିଜର ପ୍ରିୟ ଲତା ଦିଦିଙ୍କୁ ଅନ୍ତିମ ବିଦାୟ ଜଣାଇଛି ସମଗ୍ର ଦେଶ | ଲତା ଦିଦିଙ୍କ ଶେଷ ଦର୍ଶନ ତଥା ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ ବହୁ ବଡ ବଡ଼ ନେତା, କଳାକାର ଙ୍କ ଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପଯ୍ୟାନ୍ତ ସମସ୍ତେ ସାମିଲ ହୋଇ ଶୋକ ବାର୍ତା ଦେଇଛନ୍ତି | ତେବେ ଲତା ଦିଦିଙ୍କୁ କେବଳ ଭାରତ ନୁହେ ଭାରତ ବାହାର ଦେଶର ଲୋକମାନେ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି | ନେପାଳ, ବାଲାଂଦେଶ, ପାକିସ୍ତାନ, ଆଫଗାନିସ୍ତାନ, ଜର୍ମାନୀ, ଆମେରିକା, ଫ୍ରାନସ ଭଳି ଅନେକ ଦେଶରୁ ଆସିଛି ଶୋକବାର୍ତା । ସମସ୍ତେ ଝୁରି ହେଉଛନ୍ତି ମେଲୋଡି କୁଇନଙ୍କୁ, ହୃଦୟକୁ ଛୁଇଁ ଯାଉଥିବା ତାଙ୍କ କଣ୍ଠସ୍ୱରକୁ । କ୍ରିକେଟ ପ୍ରତି ରୁଚି ରଖିଥିବା ଲତାଙ୍କୁ କେବଳ ଭାରତୀୟ କ୍ରିକେଟର ନୁହଁନ୍ତି ବରଂ ପଡୋଶୀ ପାକିସ୍ତାନ କ୍ରିକେଟର ମଧ୍ୟ ସୋସିଆଲ ମିଡ଼ିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଲେଖିଛନ୍ତି, ଏକ ସ୍ୱର୍ଣ୍ଣିମ ଯୁଗର ଅନ୍ତ ଘଟିଲା । ତାଙ୍କର ସୁନ୍ଦର ସ୍ୱର ସବୁବେଳେ ବିଶ୍ୱବ୍ୟାପୀ ଲୋକଙ୍କ ମଧ୍ୟରେ ଚିର ଅମର ହୋଇ ରହିବ । ଜଣେ ଅଦ୍ୱିତୀୟ ଆଇକନ ହେଉଛନ୍ତି ଲତା ମଙ୍ଗେସକର ।

ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ରମିଜ ରାଜା ଟ୍ୱିଟ୍ କରି ଲେଖିଛନ୍ତି, ଲତା ମଙ୍ଗେସକରଙ୍କ ନମ୍ର, ଶାନ୍ତ ଓ କରୁଣାମୟୀ ସ୍ୱଭାବ ତାଙ୍କୁ ମହାନ କଳାକାର ଭାବେ ଗଢି ତୋଳିଥିଲା । କିଶୋର କୁମାରଙ୍କ ପରେ ଲତା ଦିଦିଙ୍କର ପରଲୋକ ମୋର ସଙ୍ଗୀତ ପ୍ରତି ଥିବା ଭଲପାଇବାକୁ ଅଧୁରା କରିଦେଲା । ସେହିଭଳି ପାକିସ୍ତାନ କ୍ରିକେଟର ମହମ୍ମଦ ହାଫିଜ ଟ୍ୱିଟ୍ କରି କହିଛନ୍ତି, ମୋର ସ୍ୱର ହିଁ ମୋ ପରିଚୟ । କିଛି ଏଭଳି ଢଙ୍ଗରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ହାଫିଜ୍ ।

ଏମାନଙ୍କ ବ୍ୟତୀତ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାକର ୟୁନିସ ଲେଖିଛନ୍ତି, ଲତା ମଙ୍ଗେସକରଙ୍କ ପରଲୋକ ମୋତେ ବହୁତ ଦୁଃଖ ଦେଇଛି । ଦ୍ୱିତୀୟ ଲତା ଆଉ କେହି ହୋଇପାରିବେ ନାହିଁ ।

ଲତାଙ୍କ ଗୀତ କେବଳ ଭାରତରେ ନୁହେଁ ପଡୋଶୀ ପାକିସ୍ତାନର ଲୋକଙ୍କ ହୃଦୟ ମଧ୍ୟ ଛୁଇଁଥିଲା । ସେଥିପାଇଁ ତ ତାଙ୍କ ପରଲୋକରେ ପାକିସ୍ତାନରୁ ମଧ୍ୟ ଶୋକବାର୍ତ୍ତା ପଠାଇଥିଲେ ତାଙ୍କର ଅନେକ ପ୍ରଂଶସକ । ଏହାଛଡା ଲତା ଦିଦିଙ୍କର କ୍ରିକେଟ ପ୍ରତି ଥିବା ଭଲପାଇବା ତାଙ୍କୁ କ୍ରିକେଟରଙ୍କ ମଧ୍ୟରେ ବି ବେଶ ଲୋକପ୍ରିୟ କରିଥିଲା । ଭାରତୀୟ କ୍ରିକେଟ ପ୍ରତି ଲତାଙ୍କର ଅବଦାନ କେହି କେବେ ଭୁଲି ପାରିବେ ନାହିଁ ।

୧୯୮୩ରେ ଯେତେବେଳେ ଭାରତ ବିଶ୍ୱ ଚାମ୍ପିୟନ ହୋଇଥିଲା ସେତେବେଳେ ଖେଳାଳୀଙ୍କୁ ଟଙ୍କା ଦେବାକୁ ବିସିସିଆଇ ପାଖରେ ଏତେ ଅର୍ଥରାଶି ନଥିଲା । ସେତେବେଳେ ବିସିସିଆଇ ଲତା ମଙ୍ଗେସକରଙ୍କ ସହଯୋଗରେ ବିଭିନ୍ନ ସୋ’ କରି ଖେଳାଳୀଙ୍କ ପାଇଁ ୨୦ ଲକ୍ଷରୁ ଅଧିକ ଟଙ୍କା ଯୋଗାଡ କରିପାରିଥିଲା । ଯାହାକୁ ବିଶ୍ୱ ବିଜୟୀ ଟିମର ଖେଳାଳୀଙ୍କୁ ଦିଆଯାଇଥିଲା ।

Related Posts