ନୂଆପଡା, (ସତ୍ୟପାଠ ବ୍ୟୁରୋ) : କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାହାର। ହେଲେ ଆଜି ଏହି ଉକ୍ତିଟି ଭୁଲ ପ୍ରମାଣିତ ହୋଇଛି। ଚାଷ କାମ ଯାହାର ସମସ୍ୟା ହିଁ ସମସ୍ୟା ତାହାର ପାଲଟିଛି। ସମସ୍ୟାରେ ଭାର କ୍ରାନ୍ତ ହୋଇଛି ଚାଷୀ। ତଳି ପକାଇବାଠାରୁ ଆରମ୍ଭ କରି ଧାନ ବିକ୍ରି ଯାଏଁ ସମସ୍ୟାରେ ପୋତି ହୋଇଯାଉଛି କୃଷକ। କେତେବେଳେ ଠିକ ସମୟରେ ବର୍ଷା ଅଭାବ ତ କେତେବେଳେ ଅତ୍ୟଧିକ ବୃଷ୍ଟିପାତ ଚାଷୀଙ୍କୁ ହରଡ଼ଘଣାରେ ପକାଉଛି। ସେହିପରି ସାରର ଅଭାବ ବିକ୍ରି ଚାଷୀଙ୍କ ସମସ୍ୟା ଦ୍ବିଗୁଣିତ କରୁଛି। ଏବେ ପୁଣି ଟୋକନ ସମସ୍ୟା ଉଭା ହୋଇଛି। ଏ ସବୁ ଭିତରେ ହନ୍ତସନ୍ତ ହେଉଛନ୍ତି ନୂଆପଡା ଚାଷୀ। ନୂଆପଡ଼ା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିଲେ ମଧ୍ୟ ଏଠି ଅନେକ ଚାଷୀ ଚାଷ ପ୍ରତି ବିମୁଖ ହେଉଥିବା ଦେଖାଦେଇଛି। ଗାଁରୁ ସହର ପର୍ଯ୍ୟନ୍ତ ଚାଷଜମି ପ୍ରତିଦିନ ବହୁ ସଂଖ୍ୟାରେ ବିକ୍ରି ହେଉଥିବା ନଜିର ରହିଛି। ଚାଷୀ ଆଗଭଳି ଚାଷକାମରୁ ଆନନ୍ଦ ପାଉନଥିବା ଲକ୍ଷ୍ୟ କରାଯାଉଛି।  ପର୍ଯ୍ୟାବରଣର ଦ୍ରୁତ ଅବକ୍ଷୟ ଯୋଗୁଁ ଠିକ୍ ସମୟରେ ବର୍ଷା ହେଉନଥିବା ଏବଂ ରାସାୟନିକ ସାର ପ୍ରୟୋଗରେ ମାଟିର ଉତ୍ପାଦନ କ୍ଷମତାକୁ ବିଶେଷ ହ୍ରାସ କରିଛି। କୃଷି କାର୍ଯ୍ୟରେ ବ୍ୟବହୃତ ସାରର ଅହେତୁକ ଦରବୃଦ୍ଧି, ଅମଳ ପରେ ମଣ୍ଡିରେ ଧାନ ବିକ୍ରି ଏବଂ ସରକାରୀ ପ୍ରକ୍ରିୟାର ଜଟିଳତା ଯୋଗୁ ଜିଲ୍ଲାର ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ ଚାଷ ପାଇଁ ଆବଶ୍ୟକ ମଜୁରି, ସାର, କୀଟନାଶକ, ଡିଜେଲ ଓ ଟ୍ରାକ୍ଟର ଭଡ଼ାରେ ଲଗାତର ବୃଦ୍ଧି ହେଉଥିବାବେଳେ ଅନ୍ୟପଟେ ଧାନର ଉଚିତ ମୂଲ୍ୟ ନ ମିଳିବାରୁ ଚାଷୀଙ୍କ ଆର୍ଥିକ ସ୍ଥିତି ଦିନକୁ ଦିନ ସଙ୍କଟାପନ୍ନ ହେଉଛି। ଚାଷୀମାନଙ୍କ କହିବା ଅନୁସାରେ, ବର୍ଷକୁ ବର୍ଷ ଚାଷ ଖର୍ଚ୍ଚ ବଢ଼ି ଚାଲିଥିବାବେଳେ ସେହି ଅନୁପାତରେ ଫସଲର ମୂଲ୍ୟ ବୃଦ୍ଧି ପାଉନାହିଁ। ସାର ଯୋଗାଣରେ ଅନିୟମିତତା ଓ କଳାବଜାର, କୀଟନାଶକର ଅଧିକ ଦର, ମଜୁରି ବୃଦ୍ଧି ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ଚାଷକୁ ଅଧିକ ବ୍ୟୟବହୁଳ କରିଦେଇଛି। ଅନ୍ୟପକ୍ଷରେ ଜମି ପଞ୍ଜୀକରଣ ପାଇଁ ବିଭିନ୍ନ କାଗଜପତ୍ର ସଂଗ୍ରହ ଓ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡୁଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଦ୍ବାରା ଚାଷୀଙ୍କ ସମୟ ଓ ଅର୍ଥ ଉଭୟର ଅପଚୟ ହେଉଥିବାବେଳେ ଏହି ପ୍ରକ୍ରିୟାକୁ ଯଥେଷ୍ଟ ସରଳ କରିବା ଆବଶ୍ୟକତାକୁ ସମସ୍ତେ ଅନୁଭବ କରିଛନ୍ତି। ବର୍ତ୍ତମାନର ପରିସ୍ଥିତିରେ ଶିକ୍ଷିତ ଯୁବବର୍ଗ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ଚାଷୀର ଅମଳ ପରେ ଧାନ ମଣ୍ଡିରେ ବିକ୍ରି ହୋଇପାରୁନାହିଁ,ଜମି ତୁଳନାରେ ଟୋକନ କମ ଆସୁଛି, ତେଣୁ ବହୁତ ଚାଷୀ ଏମଏସପି ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଚାଷୀ କହିଛନ୍ତି। ଅନ୍ୟପକ୍ଷରେ କୃଷିକ୍ଷେତ୍ରରେ ଲାଗୁଥିବା ଶ୍ରମିକର ମୂଲ୍ୟ ବଢୁଛି, ବିହନ ଓ ସାରର ଅହେତୁକ ଦର ବୃଦ୍ଧି,ସବସିଡି ଅଙ୍କ କମିବା,ଚାଷ କାମରେ ସମସ୍ତ ଯନ୍ତ୍ରପାତି ର ବହୁଳ ପ୍ରଚଳନ ଏବଂ ତୈଳ ଦର ବୃଦ୍ଧି ଯୋଗୁ ଚାଷରେ ଖର୍ଚ୍ଚ ବୃଦ୍ଧି ହେଉଛି ବୋଲି ଚାଷୀ ଭୋଳା ସିଂ ଠାକୁର ପ୍ରକାଶ କରିଛନ୍ତି। କୃଷି ସମ୍ବନ୍ଧୀୟ ନୀତି ଓ ନିୟମକୁ ଗଭୀର ଅନୁଶୀଳନ କରି ତାର ପରିବର୍ତ୍ତନ କରାଯାଉ ଏବଂ ସରକାର ଗ୍ରାମାଞ୍ଚଳର ସାଧାରଣ ଚାଷୀଙ୍କ ବାସ୍ତବ ସମସ୍ୟା ବୁଝି ଚାଷ ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହେଉଛି।