ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର କମିଶନରେଟ ପୋଲିସର ସବୁଠାରୁ ବଡ଼ ପ୍ରାଥମିକତା ହେଲା VVIPଙ୍କ ସେବା କରିବା। କମିଶନରେଟ ପୋଲିସର ପୁରା ଫୋର୍ସ ଏବେ କେବଳ VVIPଙ୍କର ଡ୍ୟୁଟି କରିବାରେ ଯାଉଛି। ରାଜଧାନୀର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଲାଗୁଛି ଯେଭଳି କି ପୋଲିସର ବିଲକୁଲ ପରୱା ନାହିଁ। ଗୋଟିଏ ପରେ ଗୋଟିଏ ସନସନି ହତ୍ୟାକାଣ୍ଡ ଭୁବନେଶ୍ୱର ସହର ମଝିରେ ଘଟୁଛି କିନ୍ତୁ, କମିଶନରେଟ ପୋଲିସ ବିଲକୁଲ ଏ ଦିଗରେ ତତ୍ପରତା ଦେଖାଇବା ଭଳି ଲାଗୁନାହିଁ।

ଗତ ୨୬ ତାରିଖ ରାତି ସାଢ଼େ ୧୧ରୁ ୧୨ ଭିତରେ, ଖଣ୍ଡଗିରି ଥାନା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ, ଗୋଟିଏ ପଞ୍ଚତାରକା ହୋଟେଲର ପାଚେରୀ ପଛପଟେ ସ୍ଥାନୀୟ ଯଦୁପୁର ଅଞ୍ଚଳର ଜଣେ ସ୍ଥାନୀୟ ଯୁବକକୁ ବିଚ ରାସ୍ତା ଉପରେ କିଛି ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କଲେ ଏବଂ ଅପହରଣ କରି ନେଇଗଲେ।

ଏ ଘଟଣା ଘଟିବାର କିଛି ସମୟ ପରେ ରାତି ୧୨ଟା ବେଳେ ଆକ୍ରମଣର ଶିକାର ହେଇଥିବା ବ୍ୟକ୍ତି ସୟଦ ଫାରୁକ ଅଲ୍ଲୀଙ୍କ ଭାଇ ଖଣ୍ଡଗିରି ଥାନାରେ ବିଧିବଦ୍ଧ ଭାବରେ FIR ଦର୍ଜ କଲେ, ପୋଲିସ ମଧ୍ୟ ଏଫଆଇଆର ରଖିଲା। ହେଲେ ଘଟଣାକୁ ଆଜିକୁ ଦୁଇ ସପ୍ତାହ ବିତିଯାଇଥିଲେ ବି ପୋଲିସ ଏ ଦିଗରେ କାହାକୁ ଗିରଫ କରିବା ତ ଦୂରର କଥା ପୀଡିତଙ୍କର ପରିବାରର ଅଭିଯୋଗ ଅନୁଯାୟୀ ବିଲକୁଲ ତଦନ୍ତ କରିବା ନେଇ ତତ୍ପରତା ଦେଖାଉନାହିଁ।

ପୋଲିସ କମିଶନର ଦେବଦତ୍ତ ସିଂ, ଶାସକ ଦଳର କୌଣସି ନେତା ମନ୍ତ୍ରୀଙ୍କୁ ଯଦି କିଏ କଣ କହିଦେଲା ବା ଖବରଟେ ଲେଖିଦେଲା ତାକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି କିନ୍ତୁ ଜଣେ ଯୁବକକୁ ବିଚ୍ ରାସ୍ତାରେ, ରାଜଧାନୀର ଏକ ଥାନାଠାରୁ ଗୋଟିଏ କିଲୋମିଟର ଦୂରରେ ଏକ ପଞ୍ଚତାରକା ହୋଟେଲ୍ ପାଚେରୀ ପାଖରେ ହଣାଯାଉଛି। ପୋଲିସ ଗିରଫ କରିବା ଦୂରର କଥା, ଏ ବାବଦରେ କିଛି କରୁନଥିବାର ଗୁରୁତର ଅଭିଯୋଗ ହେଉଛି।

ଏ ଜଘନ୍ୟ ଆକ୍ରମଣକୁ ନେଇକି କମିଶନରେଟ ପୋଲିସ ଉପରେ ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହେଇଛି। ହେଲେ ପୋଲିସ ସେ ଦିଗରେ ବିଲକୁଲ ମୁହଁ ଫିଟାଉ ନାହିଁ କି ତଦନ୍ତରେ କୌଣସି ତତ୍ପରତା ଦେଖେଇବା ଭଳି ଲାଗୁନାହିଁ।

ଏଠାରେ ପ୍ରଶ୍ନ ହେଉଛି ଯେ, ରାଜଧାନୀ ଛାତି ଉପରେ ଏଭଳି ମର୍ମନ୍ତୁଦ ହତ୍ୟା ଉଦ୍ୟମ ସହ ଅପହରଣ ହେଉଛି ସେ ସମୟରେ କମିଶନରେଟ ପୋଲିସର ପିସିଆର ଭ୍ୟାନ କୁଆଡେ ଯାଇଥିଲା?ଖଣ୍ଡଗିରି ଥାନାର ଗୋଟିଏ କିଲୋମିଟର ଭିତରେ ଯୁବକଙ୍କ ଉପରେ ଏଭଳି ଜଘନ୍ୟ ଆକ୍ରମଣ କରାଗଲା। ଆକ୍ରମଣ କରିବା ସହ ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରି ନେଇଗଲେ, ପୋଲିସକୁ ତୁରନ୍ତ ଖବର ଦିଆଗଲା ଏହା ସତ୍ତ୍ୱେ ଅଭିଯୁକ୍ତମାନେ ଯୁବକ ଜଣକୁ ଅପହରଣ କରିବାରେ ସମର୍ଥ ଥିଲେ। ପୋଲିସ କୌଣସି ଜାଗାରେ କୌଣସି ଚେକ୍ ପଏଣ୍ଟରେ କାହିଁକି ଗାଡ଼ିକୁ ଅଟକେଇ ପାରିଲା ନାହିଁ?

ଭୁବନେଶ୍ୱର ଭିତରେ ଯେକୌଣସି ଅପରାଧୀ ଅପରାଧ ଘଟେଇ ଆରାମରେ ସହର ବାହାରକୁ ଚାଲିଯାଇପାରିବ, ଏ ଘଟଣା ତାକୁ ପ୍ରମାଣିତ କରୁଛି। ଏ ମରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଯଦୁପୁର ଅଞ୍ଚଳରେ ଭୟଙ୍କର ପ୍ରତିକ୍ରିୟା ସୃଷ୍ଟି କରୁଛି। ସ୍ଥାନୀୟ ଲୋକଙ୍କର କହିବା କଥା ଖଣ୍ଡଗିରି ପୋଲିସ ଅପରାଧୀଙ୍କ ସହ ଯୋଗାଯୋଗରେ ଅଛି ଆଉ ମୂଳଚାଲ କରୁଛି। କାରଣ ଅପରାଧୀ ନିକଟସ୍ଥ ପିପିଲି ଅଞ୍ଚଳର ବୋଲି କୁହାଯାଉଛି ତା ସତ୍ତ୍ୱେ ପୋଲିସ ହାତ ବାନ୍ଧି ବସିଛି। ଖଣ୍ଡଗିରି ପୋଲିସର ଏ ନାକାମୀ ଏବେ ପୋଲିସ କମିଶନର ଦେବଦତ୍ତ ସିଂଙ୍କର ପାରିବାପଣିଆ ଉପରେ ପ୍ରଶ୍ନ ଉଠେଇଛି। DCP ଙ୍କ ନୀରବତା ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।