କଟକ (ସତ୍ୟପାଠ ବ୍ୟୁରୋ) : ଦୁର୍ନୀତି ବିରୋଧରେ ଓଡ଼ିଶା ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ। ଅଧୀକ୍ଷଣ ଯନ୍ତ୍ରୀଙ୍କ ଠାରୁ ଏବଂ ତାଙ୍କ ଭଡ଼ାଘରରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ କରିଛି ଭିଜିଲାନ୍ସ। ଜବତ ଟଙ୍କା କେଉଁଠୁ ଆସିଲା, ସେନେଇ ସନ୍ତୋଷଜନକ ହିସାବ ଦେଇ ନପାରିବାରୁ ଏହି ଟଙ୍କାକୁ ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କଟକ ଜଗତପୁରସ୍ଥିତ ମହାନଦୀ ଉତ୍ତର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସଙ୍କୁ ଗତ ବିଳମ୍ବିତ ରାତିରେ ଭୁବନେଶ୍ୱରର ଏଜି ଛକ ନିକଟରେ ଅଟକାଯାଇଥିଲା। ସେ ଏକ ସରକାରୀ ଭାବେ ଭଡ଼ାରେ ନିଆଯାଇଥିବା ବୋଲେରୋ ଗାଡ଼ିରେ ଯାଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଯାଞ୍ଚ ବେଳେ ତାଙ୍କ ନିକଟରୁ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କାର ହିସାବବିହୀନ ନଗଦ ଅର୍ଥ ମିଳିଥିଲା।

ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରର ଘାଟିକିଆସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସିର ଡି-୪୦୧ ନମ୍ବର ଭଡ଼ା ଫ୍ଲାଟ୍‌ରେ ତଲାସି ସମୟରେ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ନଗଦ ମିଳିଥିଲା। ଏହା ସହିତ ତାଙ୍କ ପୈତୃକ ଘର ବରଗଡ଼ରେ ମଧ୍ୟ ଯାଞ୍ଚ କରାଯାଇଥିଲା। ଉଭୟ ସ୍ଥାନରୁ ମିଳିଥିବା ଟଙ୍କାକୁ ମିଶାଇ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ କରାଯାଇଛି।

ଏତେ ପରିମାଣର ନଗଦ ଅର୍ଥର ଉତ୍ସ ସମ୍ପର୍କରେ ପ୍ରସନ୍ନଜିତ ଦାସ ସନ୍ତୋଷଜନକ ହିସାବ ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ୧୬ ଅକ୍ଟୋବର ୨୦୨୬ରେ କେସ୍ ନମ୍ବର ୨୪ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହିତ ୧୩(୧)(ବି) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।