ମାଲକାନଗିରି, (ସତ୍ୟପାଠବ୍ୟୁରୋ): ମୃତ୍ୟୁ ପରେ ମୃତଦେହ ଘରକୁ ନେବାକୁ ମିଳିଲାନି ଶବବାହକ ଗାଡ଼ି। ଫଳରେ ଦୀର୍ଘ ୪ ଘଣ୍ଟା ଧରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ିରହିଲା ମହିଳାଙ୍କ ମୃତଦେହ। ଶେଷରେ ଆମ୍ବୁଲାନ୍ସ ବ୍ୟବସ୍ଥା ହେବା ପରେ ମୃତଦେହକୁ ଗାଁକୁ ପଠାଯାଇଥିଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ। ଏହାକୁ େନଇ ଅସନ୍ତୋଷ ପ୍ରକାଶ ପାଇଛି।

ଏମ୍‌ଭି-୭ ଗ୍ରାମରେ ଜଣେ ମହିଳା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ମୃତଦେହ ଘରକୁ ନେବା ପାଇଁ ପରିବାର ଲୋକଙ୍କୁ ଶବବାହକ ଗାଡ଼ି ମିଳି ନ ଥିଲା। ବାଧ୍ୟ ହୋଇ ପରିବାର ଲୋକେ ନିଜ ଖର୍ଚ୍ଚରେ ଅଟୋ ଯୋଗେ ମୃତଦେହ ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଡାକ୍ତରଖାନା ପକ୍ଷରୁ ଏଥିପାଇଁ ଅନୁମତି ମିଳି ନ ଥିବାରୁ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ଫଳରେ ପ୍ରାୟ ୪ ଘଣ୍ଟା ଧରି ମୃତଦେହ ଡାକ୍ତରଖାନାରେ ପଡ଼ିରହିଥିଲା। ଏହାକୁ ନେଇ ପରିବାର ଲୋକେ ହଇରାଣ ହେବା ସହ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ, ଏ ସମ୍ପର୍କରେ ଡାକ୍ତରଖାନାର ଏଡିଏମ୍‌ଓ ସୁରମା ବେହେରାଙ୍କୁ ପଚାରିବାରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇ ମୃତଦେହକୁ ଗାଁକୁ ପଠାଯାଇଥିବା ସେ କହିଛନ୍ତି। ଜିଲ୍ଲାରେ ପର୍ଯ୍ୟାପ୍ତ ଶବବାହକ ଗାଡ଼ି ଉପଲବ୍ଧ କରାଇବା ସହ ଏଭଳି ଜରୁରୀ ପରିସ୍ଥିତିରେ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହେଉଛି।