ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ସେପଟେ ଶିକ୍ଷାନୁଷ୍ଠାନ କୁ ପ୍ରବେଶ କରିଛି କରୋନା | ଭୁବନେଶ୍ବର ନାଇଜର ଓ ରାଉର‌କେଲା ଏନ୍‌ଆଇଟି ପଢ଼ୁଥିବା ଛାତ୍ରଛାତ୍ରୀ କରୋନା ଚିହ୍ନଟ ହୋଇଛନ୍ତି | ଗୋଟିଏ ଦିନରେ ନାଇଜରରୁ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନ୍‌ଆଇଟି ରାଉରକେଲାରେ ବି ପଶିଛି କରୋନା। ଏଠାରେ ତିନି ଜଣ ପିଲା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେବଳ ଏହି ଦୁଇଟି ନୁ‌ହେଁ, କେତେକ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ବି ସଂକ୍ରମିତ ହେଲେଣି। ହଠାତ୍‌ ସପ୍ତାହେ ହେଲା ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ବି ଭୟଭୀତ ହୋଇପଡ଼ିଛନ୍ତି। ଯାହାର ପ୍ରତିଫଳନ ଏବେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଦେଖିବାକୁ ମିଳିଛି। ଅଧିକାଂଶ ଶିକ୍ଷାନୁଷ୍ଠାନରେ ଆଜି ଉପସ୍ଥାପନା କମ୍‌ ରହିଥିଲା। ସରକାରୀ ସ୍କୁଲରେ ଉପସ୍ଥାପନା କମିଥିବା ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ବର ନାଇଜରରେ ଚିହ୍ନଟ ହୋଇଥିବା ୩୧ ଜଣ ଯାକ ଆକ୍ରାନ୍ତ ପ୍ରଥମ ବର୍ଷର ଛାତ୍ର ବୋଲି ଜଣାପଡ଼ିଛି। ନାମଲେଖା ପ୍ରକ୍ରିୟା ସରିବା ପରେ ସେମାନେ ଏବେ କ୍ୟାମ୍ପସକୁ ଆସିଛନ୍ତି। ପ୍ରବେଶ ସମୟରେ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ମାତ୍ର କେହି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ। ଯେଉଁଥିପାଇଁ ସେମାନଙ୍କୁ ଆଇସୋଲୋସନରେ ରଖାଯିବା ସହ ଡାକ୍ତରମାନେ ନଜର ରଖିଥିଲେ। ଏବେ କିଛି ଛାତ୍ର ଅସୁସ୍ଥ ହେବାରୁ ସେମାନଙ୍କ କରୋନା ପରୀକ୍ଷା ହୋଇଥିଲା। ‌ସେମାନେ ପଜିଟିଭ୍‌ ଚିହ୍ନଟ ହେବା ପରେ ଅନ୍ୟମାନଙ୍କର ବି ପରୀକ୍ଷା କରାଯାଇଥିଲା। ଆଜି ସେମାନଙ୍କର ରିପୋର୍ଟ ବି ପଜିଟିଭ୍‌ ଆସିଛି। ଏବେ ସୁଦ୍ଧା ମୋଟ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜଟଣୀ ଗୋଷ୍ଠୀ ଚିକିତ୍ସାକେନ୍ଦ୍ରର ଅଧୀକ୍ଷକ ଡାକ୍ତର ଜିତେନ୍ଦ୍ର କୁମାର ପଣ୍ଡା କହିଛନ୍ତି ଯେ ଆକ୍ରାନ୍ତଙ୍କୁ ନାଇଜର୍ ପରିସରରେ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ପର୍ୟ୍ୟବେକ୍ଷଣ ଚାଲୁରହିଛି। ନାଇଜର୍ କର୍ତ୍ତୃପକ୍ଷଙ୍କ ସହଯୋଗରେ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ଦେଇଛନ୍ତି। ନାଇଜର୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପିଲାମାନେ ହଷ୍ଟେଲରେ ଥିବା ସମୟରେ କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ କ୍ୟାମ୍ପସକୁ ବନ୍ଦ କରାଯାଇ ନାହିଁ। ନିୟମିତ ଭାବେ ବାକି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଗବେଷଣା ଜାରି ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ବାହାର ରାଜ୍ୟର ପିଲା। କ୍ୟାମ୍ପସକୁ ଆସିବା ପରେ ସେମାନଙ୍କ ଉପରେ ନଜର ରଖାଯାଇଥିଲା। ପରୀକ୍ଷା ପ‌ରେ ସେମାନଙ୍କ ମଧ୍ୟରୁ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆହୁରି ପ୍ରାୟ ଶହେ ପିଲାଙ୍କ ଉପରେ ଏବେ ନଜର ରଖାଯାଇଛି। ସେମାନଙ୍କୁ ହଷ୍ଟେଲର ଅଲଗା ଅଲଗା କୋଠରୀରେ ରଖାଯାଇଛି। ପରସ୍ପର ସହ ମିଳାମିଶାକୁ ବାରଣ କରାଯାଇଛି। ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତରଙ୍କ ସହଯୋଗରେ ନାଇଜର୍‌ର ଡାକ୍ତରମାନେ ତଦାରଖ କରୁଛନ୍ତି। ଅନ୍ୟମାନେ ଯେପରି ସଂକ୍ରମିତ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେହି ଓମିକ୍ରନ୍‌ ନ ଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।