ତେହେରାନ(ସତ୍ୟପାଠବ୍ୟୁରୋ): ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠାକୁ ନେଇ ଇରାନ କହିଛି ଯେ ହରମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ କେବେ ପୂର୍ବ ଅବସ୍ଥାକୁ ଫେରିବ ନାହିଁ ଏବଂ ତେହେରାନ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ନିଜ ସର୍ତ୍ତରେ ପରିଚାଳନା କରିବ। ଇରାନର ମୁଖ୍ୟ ଆଲୋଚକ ଏବଂ ଇରାନୀ ସଂସଦର ବାଚସ୍ପତି ମହମ୍ମଦ ବାଘର ଗାଲିବାଫ ସ୍ୱିଜରଲ୍ୟାଣ୍ଡରେ ଆଲୋଚନାରୁ ଫେରିବା ସମୟରେ ଏହି ବିବୃତ୍ତି ଦେଇଛନ୍ତି। ଏହାସହିତ ଗାଲିବାଫ ସାମରିକ କାର୍ଯ୍ୟାନୁଷ୍ଠାନ ବଦଳରେ କୂଟନୀତି ମାଧ୍ୟମରେ ଆମେରିକାର ଅବରୋଧ ଉଠାଇବା ପାଇଁ ଇରାନୀ ଆଲୋଚକମାନଙ୍କୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ, ଯଦି ଆମେ ଏହା ସାମରିକ ଭାବରେ କୌଣସି ପଦକ୍ଷେପ ନେବାକୁ ଚାହୁଁଥାନ୍ତୁ, ତେବେ ନିଶ୍ଚିତ ଭାବରେ ଯୁଦ୍ଧ ଏବଂ କ୍ଷତି ହୋଇଥାନ୍ତା, କିନ୍ତୁ ଆପଣ ଦେଖିଛନ୍ତି ଯେ ରାତିସାରା ଅବରୋଧ ଉଠାଇ ଦିଆଯାଇଥିଲା। ଏହାସହିତ ସେ ୱାଶିଂଟନ ପ୍ରତି ତାଙ୍କର ଦୀର୍ଘକାଳୀନ ଅବିଶ୍ୱାସକୁ ପୁନରାବୃତ୍ତି କରି କହିଛନ୍ତି ଯେ, ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ ଏବଂ କେବେ କରିବ ନାହିଁ। ଇରାନ ଆମେରିକା ସହିତ ଭବିଷ୍ୟତରେ ଯେକୌଣସି କାରବାରରେ ସତର୍କତା ଅବଲମ୍ବନ କରିବ। ଇରାନ ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ମାର୍ଗ ପାଇଁ ଏକ ଟେଲିଫୋନ୍ ହଟଲାଇନ୍ ସ୍ଥାପନ କରିବାକୁ ରାଜି ହୋଇଛି ଯାହାଦ୍ୱାରା ଆମେରିକା ଏବଂ ଅନ୍ୟ ଦେଶଗୁଡ଼ିକ ସହିତ ଏହା ଦେଇ ଯାଉଥିବା ଜାହାଜଗୁଡ଼ିକ ସମ୍ପର୍କରେ ଯେକୌଣସି ଭୁଲ ବୁଝାମଣାକୁ ରୋକିବା ଏବଂ ସମାଧାନ କରାଯାଇପାରିବ। ଏନେଇ ଆମେରିକା ଏବଂ ଇରାନ ଏକ ସମନ୍ୱୟ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି, ଯେଉଁଥିରେ ଏକ ଟେଲିଫୋନ୍ ହଟଲାଇନ୍ ଓ ଏକ ହବ୍ ଅନ୍ତର୍ଭୁକ୍ତ, ଯାହା ଦ୍ଵାରା ଯଦି କୌଣସି ଅସ୍ପଷ୍ଟତା କିମ୍ବା ସମସ୍ୟା ଉପୁଜେ ତେବେ ଜାହାଜଗୁଡ଼ିକ ହବ୍ ସହିତ ଯୋଗାଯୋଗ କରିପାରିବେ। ଏହାସହିତ ହଟଲାଇନର ଉଦ୍ଦେଶ୍ୟ ବିଷୟରେ ଗାଲିବାଫ କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ ହେଉଛି ସେହି ସମସ୍ୟାଗୁଡ଼ିକର ସମାଧାନ କରିବା ଯାହା ଉପରେ ଆମେରିକାର ଆପତ୍ତି ଅଛି କିମ୍ବା ଜାହାଜଗୁଡ଼ିକ ଉପରେ ସ୍ପଷ୍ଟୀକରଣ ଆବଶ୍ୟକ। ଯଦି ଆମେରିକୀୟମାନଙ୍କର କୌଣସି ବିଷୟରେ କୌଣସି ଆପତ୍ତି ଅଛି କିମ୍ବା ଯଦି କୌଣସି ଜାହାଜକୁ କୌଣସି ମାର୍ଗ କିମ୍ବା ଅନ୍ୟ କୌଣସି ବିଷୟରେ ସ୍ପଷ୍ଟୀକରଣ ଆବଶ୍ୟକ ହୁଏ, ତେବେ ସେମାନେ କଲ୍ କରିପାରିବେ।