ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) : ମହାକାଶ ଅଭିଯାନ କ୍ଷେତ୍ରରେ ଚୀନକୁ ବଡ଼ ଝଟକା ଲାଗିଛି। ବେଜିଂର ‘ଲଙ୍ଗ୍ ମାର୍ଚ୍ଚ-୭ଏ ‘ ରକେଟ୍ , ଏକ ସାଟେଲାଇଟକୁ ମହାକାଶରେ ପହଞ୍ଚାଇବା ବେଳେ ହୋଇଛି ବିଫଳ। ଏହି ପ୍ରକ୍ଷେପଣ ଦକ୍ଷିଣ ଚୀନର ହୈନାନ୍ ପ୍ରଦେଶ ସ୍ଥିତ ୱେନଚାଙ୍ଗ ମହାକାଶ ପ୍ରକ୍ଷେପଣ କେନ୍ଦ୍ରରୁ କରାଯାଇ ଥିଲା। ରକେଟ୍ ଉଡ଼ାଣ ଭରିବାର ପ୍ରାୟ ଦେଢ଼ ମିନିଟ୍ ପରେ ଅଚାନକ ଭାଙ୍ଗି ଯାଇ ଥିଲା ଏବଂ ସେଥିରେ ଏକ ଜୋରଦାର ବିସ୍ଫୋରଣ ଘଟି ଥିଲା। ରକେଟ୍ ସହିତ ଚୀନର ‘ଝୋଙ୍ଗସିଙ୍ଗ-୪ବି’ କମ୍ୟୁନିକେସନ୍ ସାଟେଲାଇଟ୍ ମଧ୍ୟ ନଷ୍ଟ ହୋଇ ଯାଇଛି। ଏହି ମିଶନରେ କେହି ମାନବ ନଥିଲେ, ତେଣୁ କୌଣସି ବ୍ୟକ୍ତି ଆହତ ହୋଇ ଥିବାର ଖବର ନାହିଁ। ଚୀନର ସରକାରୀ ନ୍ୟୁଜ୍ ସଂସ୍ଥା ‘ଶିନହୁଆ’ ମଧ୍ୟ ଏହି ମିଶନ ବିଫଳ ହୋଇଥିବା ନେଇ ସ୍ପଷ୍ଟ କରିଛି।
ଉକ୍ତ ଘଟଣା ଚୀନର ମହାକାଶ କାର୍ଯ୍ୟକ୍ରମ ପାଇଁ ଏକ ବଡ଼ ଝଟକା , କାରଣ ‘ଲଙ୍ଗ୍ ମାର୍ଚ୍ଚ-୭ଏ ‘ କୌଣସି ନୂଆ ରକେଟ୍ ନୁହେଁ । ଏହି ରକେଟ ପ୍ରଥମ ଉଡ଼ାଣ ୨୦୨୦ ମସିହାରେ କରିଥିଲା ଏବଂ ପ୍ରାରମ୍ଭିକ ଅସଫଳତା ପରେ ଏହା ୧୨ରୁ ଅଧିକ ମିଶନକୁ ସଫଳତାର ସହ ପୂରଣ କରି ଥିଲା। ଏହି ରକେଟର ଦ୍ୱିତୀୟ ବଡ଼ ବିଫଳତା ଭାବେ ଗ୍ରହଣ କରାଯାଉଛି। ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ମାସରେ ‘ଲଙ୍ଗ୍ ମାର୍ଚ୍ଚ’ ସିରିଜର ଅନ୍ୟ ଏକ ରକେଟ୍ ‘ଲଙ୍ଗ୍ ମାର୍ଚ୍ଚ-୩ ବି ର ଲଞ୍ଚ୍ ମଧ୍ୟ ଅସଫଳ ହୋଇଥିଲା।
