ନୟାଗଡ଼(ସତ୍ୟପାଠବ୍ୟୁରୋ): ଭୁଲ ଇଞ୍ଜେକସନ ଯୋଗୁ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ନୟାଗଡ଼ ଜିଲ୍ଲା ଭାପୁରରେ ଉତ୍ତେଜନା ଦେଖାଯାଇଥିଲା। ଜିଲ୍ଲା ପ୍ରଶାସନ ବୁଝାସୁଝା କରିବା ପରେ ଶାନ୍ତ ପଡ଼ିଛି ପରିବେଶ। ମେଡିକାଲ ପରିସରରେ ଦୀର୍ଘ ୧୨ ଘଣ୍ଟା ମୃତଦେହ ପଡ଼ି ରହିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ନୟାଗଡ଼ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି।

ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ କଲେଜ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ ଆଣିବା ପରେ ମେଡିକାଲରେ ଉତ୍ତେଜନା ଖେଳିଯାଇଥିଲା। ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମେଡିକାଲରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଖବର ପାଇ ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବା ପ୍ରତିଶ୍ରୁତି ଉପଜିଲ୍ଲାପାଳ ଦେବା ପରେ ପରିବାର ଲୋକ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେଇଛନ୍ତି। ସୂଚନା ଅନୁସାରେ ଭାପୁର ବ୍ଳକ ଗୋଳାପୋଖରୀ ଗାଁର ଗୋପାଳ ଚନ୍ଦ୍ର ବେହେରାଙ୍କ କଲେଜ ପଢୁଆ ଝିଅ ସନ୍ତୋଷୀ ବେହେରାଙ୍କୁ ଜ୍ୱର ହେବାରୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ଭୁଲ ଇଞ୍ଜେକ୍ସନ ଦେବାରୁ ଝିଅର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।