ସମ୍ବଲପୁର, (ସତ୍ୟପାଠବ୍ୟୁରୋ): ମାଗଣା ଚିକିତ୍ସାର ପ୍ରଲୋଭନ ଦେଖାଇ ଗରିବ ଓ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଠକେଇ କରାଯାଇଥିବା ନେଇ ଏକ ସାଂଘାତିକ ଅଭିଯୋଗ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବାତରୋଗ ଓ ହାର୍ନିଆ ଚିକିତ୍ସା କରାଇବାର ପ୍ରତିଶ୍ରୁତି ଦେଇ କିଛି ବୃଦ୍ଧବୃଦ୍ଧାଙ୍କୁ କଟକ ଜିଲ୍ଲା ଆଠଗଡ଼ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ସେମାନଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଥିବା ଅଭିଯୋଗ ହୋଇଛି। ଅସ୍ତ୍ରୋପଚାର ପରେ କେତେକ ରୋଗୀ ଚଲାବୁଲା କରିବାରେ ଅସମର୍ଥ ହୋଇପଡ଼ିଥିବା ବେଳେ ଜଣେ ରୋଗୀଙ୍କ ଆଣ୍ଠୁରୁ ଦୀର୍ଘ ଦିନ ଧରି ରକ୍ତସ୍ରାବ ହେଉଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ରେଢ଼ାଖୋଲ ବ୍ଲକ୍‌ କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମର ୮ ଜଣ ବୃଦ୍ଧବୃଦ୍ଧା ଗତ ଅଗଷ୍ଟ ମାସରେ ଜଣେ ସ୍ଥାନୀୟ ମହିଳାଙ୍କ ପ୍ରଲୋଭନରେ ପଡ଼ି ମାଗଣା ଚିକିତ୍ସା ପାଇଁ ଆଠଗଡ଼ସ୍ଥିତ ମେଡଟେକ୍ ହସ୍ପିଟାଲକୁ ଯାଇଥିଲେ। ସେଠାରେ ସେମାନଙ୍କ ଆଣ୍ଠୁରେ ପ୍ରାୟ ୬ ଇଞ୍ଚର କଟା ଚିହ୍ନ ରହିଥିବା ଏବଂ ରୋଗୀଙ୍କ ଇଚ୍ଛା ବିରୋଧରେ ଅସ୍ତ୍ରୋପଚାର କରାଯାଇଥିବା ସେମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡରୁ ଅନୁମତି ବିନା ଲକ୍ଷାଧିକ ଟଙ୍କା ଉଠାଯାଇଥିବା ଏବଂ ରୋଗୀମାନଙ୍କୁ ସେମାନଙ୍କ କାର୍ଡ ଫେରସ୍ତ କରାଯାଇନଥିବା ଅଭିଯୋଗ ମଧ୍ୟ ହୋଇଛି। ଏହା ଫଳରେ ସରକାରୀ ସ୍ୱାସ୍ଥ୍ୟ ଯୋଜନାର ସ୍ୱଚ୍ଛତା ଓ ଗରିବ ରୋଗୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ମଧୁପୁର ଗ୍ରାମର ସୌଦାମିନୀ ପ୍ରଧାନ, କାହ୍ନୁ ପ୍ରଧାନ (୯୦), ନୂରା ପ୍ରଧାନ (୭୦), ମିଲୁ ଜାନି (୭୫), କମ୍ଭୁପ୍ରସାଦ ପ୍ରଧାନ (୬୫), ସୁଭାଷିନୀ ପ୍ରଧାନ (୬୦), କାଠି ପ୍ରଧାନ (୭୫) ଓ ବିଷ୍ଣୁ ପ୍ରଧାନ (୬୩) ଏହି ଘଟଣାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଅସ୍ତ୍ରୋପଚାର ପରେ ଘରକୁ ଫେରିବା ପରେ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯାଇଥିଲା। ବିଷ୍ଣୁ ପ୍ରଧାନଙ୍କ ଆଣ୍ଠୁରୁ ଦୀର୍ଘ ଦିନ ଧରି ରକ୍ତସ୍ରାବ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ଏବଂ ପରେ ବୁର୍ଲାସ୍ଥିତ ବିକାଶ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି। ଅନ୍ୟ କେତେକ ବୃଦ୍ଧବୃଦ୍ଧା ମଧ୍ୟ ଅସ୍ତ୍ରୋପଚାର ପରେ ସ୍ୱାଭାବିକ ଭାବେ ଚଲାବୁଲା କରିପାରୁନଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପୀଡ଼ିତ ସୌଦାମିନୀ ପ୍ରଧାନ ଓ ପିଣ୍ଟେଇ ପ୍ରଧାନ ରେଢ଼ାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ବିଶିପାଲି ଗ୍ରାମର ଏକା ମେହେର ମଧ୍ୟ ଏଭଳି ଠକେଇର ଶିକାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।ମାଗଣା ଚିକିତ୍ସା ଯୋଜନାର ଆଳରେ ଗରିବ ଲୋକଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ରେଢ଼ାଖୋଲ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଘଟଣାର ନିରପେକ୍ଷ ତଦନ୍ତ କରି ଅଭିଯୋଗର ସତ୍ୟାସତ୍ୟ ଉନ୍ମୋଚନ କରିବା ସହ ସମ୍ପୃକ୍ତ ଦଲାଲ ଓ ଦୋଷୀ ପ୍ରମାଣିତ ହେଉଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତଙ୍କ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ସାଧାରଣରେ ଦାବି ହୋଇଛି।