ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ହାପୁର ଜିଲ୍ଲାର ନ୍ୟାସନାଲ ହାଇୱେ ୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀ ଯାଉଥିବା ଯାତ୍ରୀବାହୀ ବସକୁ ଟ୍ରକ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସୂଚନାନୁଯାୟୀ, ସୋହରାବ ଗେଟ୍ ଡିପୋର ରୋଡୱେଜ ବସ୍ ଗୋଣ୍ଡାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। କିନ୍ତୁ ଅଧା ରାସ୍ତାରେ ବସରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଡ୍ରାଇଭର ସର୍ଭିସ୍ ରୋଡ଼୍ କଡ଼ରେ ଗାଡ଼ି ଅଟକାଇଦେଇଥିଲେ । ଏହାରି ମଧ୍ୟରେ ଗୋଟିଏ ଟ୍ରକ୍ ନିୟନ୍ତ୍ରଣ ହରାଇ ଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ଏଥିରେ ଜଣେ ୫ ବର୍ଷର ଝିଅ ନାୟରା ଏବଂ ୧୫ ବର୍ଷୀୟ ମୀରାଙ୍କର ମୃତ୍ୟୁ ଘଟିଥିଲା । ଏହି ୨ ଝିଅଙ୍କ ସମେତ ଅନ୍ୟ ୭ ଜଣ ଆହତ ହୋଇଥିଲେ । ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଓ ପ୍ରଶାସନ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଆହତମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲକୁ ପଠାଯାଇଥିଲା । ଏବେ ସମସ୍ତେ ଚିକିତ୍ସାଧୀନ ଅଛନ୍ତି । ହେଲେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଟ୍ରକଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
