ଭୁବନେଶ୍ବର,( ସତ୍ୟପାଠବ୍ୟୁରୋ) : ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ । ମୁହାଁମୁହିଁ ହେଲେ ପୁଲିସ ଓ ଅନଲାଇନ୍ ଗାଡ଼ିଚାଳକ । ରାସ୍ତା ଉପରେ ଗାଡ଼ି ରଖି ରାସ୍ତାରୋକ କରିବା ସହ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ସ୍ଥିତି ଉଗ୍ର ହେବାରୁ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି । ମାଷ୍ଟରକ୍ୟାଣ୍ଟିନରେ ଆନ୍ଦୋଳନକାରୀ ଡ୍ରାଇଭରମାନେ ପୁଲିସ ଉପରକୁ ଟେକାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି । ଏଥିରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଏପରିକି ସରକାରୀ ଗାଡ଼ିକୁ ମଧ୍ୟ ଟାର୍ଗେଟ୍ କରିଥିଲେ ଆନ୍ଦୋଳନକାରୀ। ପୁଲିସ ଗାଡ଼ି ସହ ‘ଆମ ବସ୍’ ମଧ୍ୟ ଭଙ୍ଗାରୁଜା କରାଯାଇଥିବା ଜଣାପଡ଼ିଛି ।

 

ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଥମେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପାଣିମାଡ଼ କରିଥିଲା । ହେଲେ ଆନ୍ଦୋଳନକାରୀମାନେ ନ ହଟିବାରୁ ପୁଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିଥିଲା । ଏହାର ପ୍ରଭାବରେ ରେଳ ଷ୍ଟେସନରୁ ବିମାନବନ୍ଦର ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ରାସ୍ତାଜାମ୍ ଲାଗି ରହିଥିଲା। ଫଳରେ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଓଲା, ଉବେର ଓ ରାପିଡୋ ଭଳି ଅନଲାଇନ୍ ସେବା ଯୋଗାଉଥିବା ଡ୍ରାଇଭର ଓ କର୍ମଚାରୀମାନେ ୭ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି । ଆଜିକୁ ତିନି ଦିନ ହେଲା ସେବା ବନ୍ଦ କରି ଚକାବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ତେବେ ଆଜି ଆନ୍ଦୋଳନ ଉଗ୍ର ରୂପ ନେଇଥିଲା । ଡ୍ରାଇଭରମାନେ ରାସ୍ତା ବନ୍ଦ କରି ଦେବାରୁ ମାଷ୍ଟରକ୍ୟାଣ୍ଟିନ ଦେଇ କୌଣସି ଗାଡ଼ି ଯାଆସ କରିପାରିନଥିଲା । ରାସ୍ତା ଖୋଲିବାକୁ ପୁଲିସ ଉଦ୍ୟମ କରିବା ସମୟରେ ଆନ୍ଦୋଳନକାରୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଏହାପରେ ଟେକାପଥର ମାଡ଼ ଓ ଲାଠିଚାର୍ଜ ଯୋଗୁଁ ସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଘଟଣାକୁ ନେଇ ଡିସିପି କହିଛନ୍ତି, ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ଫୁଟେଜ୍ ଆଧାରରେ ଦୋଷୀଙ୍କ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।