ସମ୍ବଲପୁର, (ସତ୍ୟପାଠବ୍ୟୁରୋ ): ପ୍ରେମିକ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରେମିକ ଘରେ ପ୍ରେମିକାର ମୃତ୍ୟୁ ହୋଇଥିବାବେଳେ ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଅଞ୍ଚଳରେ ଘଟିଛି ଏହି ଘଟଣା। ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଦେହୁରିପଡ଼ାର ଜଣେ ଯୁବତୀଙ୍କ ସହ ବୁଣ୍ଡୁକାମାଲର ଅନୁଜ ଲୁଗୁନଙ୍କ ପ୍ରେମ ସଂପର୍କ ଥିଲା। ଉଭୟ ବିଭିନ୍ନ ସମୟରେ ପରସ୍ପରଙ୍କ ଘରକୁ ଯିବାଆସିବା କରୁଥିଲେ। ଆଉ ଯୁବତୀ ଜଣକ ଅନୁଜଙ୍କ ଘରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଗତ ଶନିବାର ସନ୍ଧ୍ୟାରେ ଅନୁଜ ଯୁବତୀଙ୍କୁ ନିଜ ଘରକୁ ଡାକିଥିଲେ। ହେଲେ ରବିବାର ଦିନ ଯୁବତୀ ଜଣକ ଜୀବନ ହାରିଥିବା ନେଇ ଅନୁଜ ଯୁବତୀଙ୍କ ମା’ଙ୍କୁ ଫୋନ୍ କରି କହିଥିଲେ। ଫଳରେ ଯୁବତୀଙ୍କ ମା’ ଘଟଣାସ୍ଥଳରେ ପହଞ୍ଚି ମୃତ ଝିଅର ମୁହଁ ଓ ବେକରେ ଦାଗ ଥିବାର ଦେଖି ହତ୍ୟା କରାଯାଇଥିବା ନେଇ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଯୁବତୀଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କ’ଣ ଓ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ତଦନ୍ତ କରୁଛି ପୋଲିସ ।
