ରାଜନୀତିରେ ଏଣ୍ଟ୍ରି କଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ

ମୁମ୍ବାଇ : ଟିଭି କଳାକାର କାମ୍ୟା ପଞ୍ଜାବୀ ଅଭିନୟ ପରେ ଏବେ ରାଜନୀତିରେ ପାଦ ଦେଇଛନ୍ତି। ବୁଧବାର ଦିନ କାମ୍ୟା ପଞ୍ଜାବୀ କଂଗ୍ରେସରେ ସାମିଲ ହୋଇଛନ୍ତି। ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ଭାଇ ଜଗତାପ, ସହକାରୀ ଅଧ୍ୟକ୍ଷ ଚରଣ ସିଂହ ସାପରା ଓ ଯୁବନେତା ସୁରଜ ସିଂହ ଠାକୁର କାମ୍ୟାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। କାମ୍ୟା ବହୁ ଆଗରୁ ରାଜନୀତିରେ ପ୍ରବେଶ କରିବାକୁ ଯୋଜନା କରୁଥିଲେ। କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ କାମ୍ୟା କହିଥିଲେ ଯେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି କିନ୍ତୁ ଠିକ ସମୟକୁ ଅପେକ୍ଷା କରିଛନ୍ତି।

ଇଟାଇମ୍ସ ସହ ଏକ ସାକ୍ଷାତକାରରେ କାମ୍ୟା ପଞ୍ଜାବୀ କହିଥିଲେ ଯେ ସେ ଦେଶସେବା କରିବାକୁ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି। ସେ କହିଥିଲେ ଯେ ସେ ଯେଉଁସବୁ ପ୍ରସଙ୍ଗ ବିଷୟରେ ବିଚାର କରନ୍ତି ସେସବୁ ଉପରେ କାମ କରିବାକୁ ରାଜନୀତିକୁ ଆସିବାକୁ ଚାହୁଁଛନ୍ତି। ତାଛଡା ସେ ମହିଳା ସଶକ୍ତିକରଣ ଉପରେ ଫୋକସ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଥିଲେ। ଘରୋଇ ହିଂସାର ଶିକାର ହେଉଥିବା ମହିଳାଙ୍କ ପାଇଁ ମଧ୍ୟ ସେ କାମ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ପୂର୍ବରୁ ସେ ମଧ୍ୟ ଘରୋଇ ହିଂସା ସହ୍ୟ କରିଛନ୍ତି ବୋଲି କହିଥିଲେ। ସେଥିରୁ ହିଁ ରାଜନୀତି ବିଚାର ଆସିଥାଇପାରେ। ତାଙ୍କୁ ପାୱାର ପ୍ରତି ଲୋଭ ନାହିଁ। ସେ କେବଳ ଦେଶ ପାଇଁ କାମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।

ଯଦି ଅଭିନୟ କଥା ଦେଖାଯାଏ ତାହେଲେ କାମ୍ୟା ପଞ୍ଜାବୀ ଦୁଇ ଦଶକରୁ ଅଧିକ ସମୟ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି। ସେ ଅନେକ ଧାରାବାହିକ ଓ ରିଆଲିଟି ଶୋ’ରେ କାମ କରିଛନ୍ତି। କାମ୍ୟା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମଧ୍ୟ ବହୁତ ଆକ୍ଟିଭ। ସେ ଅଧିକାଂଶ ସମୟରେ ଫଟୋ ଓ ଭିଡିଓ ସେୟାର କରିଥାନ୍ତି।

Related Posts