ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ | ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ଖୀପ୍ର ଗତିରେ ବଢିଚାଲିଥିବା ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଧୀରେ ଧୀରେ କମିବାରେ ଲାଗିଛି | ଗତ ସପ୍ତାହରେ ଦୈନିକ ସଂକ୍ରମଣ ଦଶ ହଜାର ଉପରେ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାର ୫୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

୧୮ ବର୍ଷରୁ କମ୍ ବର୍ଗର ୯୩୭ ଜଣ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨୨୬୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ସୁନ୍ଦରଗଡ଼ରୁ ୯୩୨ ଏବଂ କଟକରୁ ୭୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଭିତରେ ରହିଛି।

ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨୦୪୬୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୧୦୭୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରେ ଏବେ ୮୫ ହଜାର ୩୨୦ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି। ଅପରପକ୍ଷରେ ରାଜ୍ୟରେ ଆଜି ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୫୨୦ ରେ ପହଁଞ୍ଚିଛି।

ସେହିପରି ଦେଶରୁ ଆଜି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୩୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ୫୨୫ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩,୩୩,୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୪,୧୭୧ କମ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୯୨,୩୭,୨୬୪ରେ ପହଞ୍ଚିଛି।