ଝାରସୁଗୁଡା, (ସତ୍ୟପାଠବ୍ୟୁରୋ): ରନ୍ଧା ଖାଦ୍ୟରେ ପୋକ। ତାହା ପୁଣି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ରୋଗୀଙ୍କ ପାଇଁ ଯୋଗାଇ ଦିଆଯାଇଥିବା ଖାଦ୍ୟରୁ ପୋକ ବାହାରି ଥିବା ନେଇ ସଙ୍ଗୀନ ଅଭିଯୋଗ େହାଇଛି। ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ପରମାଣପୁର ଅଞ୍ଚଳର ନିଶାମଣି ବେହେରା ବ୍ୟକ୍ତି ଝାଡ଼ାବାନ୍ତି ଯୋଗୁଁ ରବିବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଦିନ ପ୍ରାୟ ୧ଟା ବେଳେ ଏସ୍ଏଚ୍ଜି ଗ୍ରୁପ୍ ଜରିଆରେ ତାଙ୍କୁ ଭାତ, ଡାଲି ଓ ଖଟା ଖାଇବାକୁ ଦିଆଯାଇଥିଲା। ତେବେ ଖାଦ୍ୟ ଖାଉଥିବା ସମୟରେ ଏଥିରୁ ଏକ ପୋକ ବାହାରିଥିବା ନିଶାମଣି ଦେଖିଥିଲେ। ଏହାପରେ ସେ ଖାଦ୍ୟ ଖାଇବା ବନ୍ଦ କରିଦେଇଥିଲେ। ଘଟଣାଟି ପ୍ରଘଟ ହେବା ପରେ ଡାକ୍ତରଖାନାରେ ଚିକିତ୍ସିତ ଅନ୍ୟ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ରୋଗୀଙ୍କୁ ଚିକିତ୍ସା ସହିତ ପୁଷ୍ଟିକର ଓ ସୁରକ୍ଷିତ ଖାଦ୍ୟ ଯୋଗାଇବା ଡାକ୍ତରଖାନାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଏଭଳି ସ୍ଥିତିରେ ଖାଦ୍ୟରୁ ପୋକ ବାହାରିବା ଅଭିଯୋଗ ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାର ମାନ ଉପରେ ପ୍ରଶ୍ନ ଉଠାଇଛି। ଏ ସମ୍ପର୍କରେ ଡାକ୍ତରଖାନା ମ୍ୟାନେଜର କହିଛନ୍ତି ଯେ, ଘଟଣାର ତଦନ୍ତ କରାଯିବ ଏବଂ ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ରୋଗୀଙ୍କ ସ୍ୱାସ୍ଥ୍ୟ ସୁଧାର ପାଇଁ ଡାକ୍ତରଖାନାକୁ ଆସୁଥିବା ବେଳେ ସେମାନଙ୍କୁ ଯୋଗାଇ ଦିଆଯାଉ ଥିବା ଖାଦ୍ୟର ଗୁଣବତ୍ତା ନେଇ ଏଭଳି ଅଭିଯୋଗ ଆସିବା ଚିନ୍ତାର ବିଷୟ ହୋଇଛି। ଖାଦ୍ୟ ପ୍ରସ୍ତୁତି ଠାରୁ ଆରମ୍ଭ କରି ସଂରକ୍ଷଣ ଓ ରୋଗୀଙ୍କ ନିକଟରେ ପହଞ୍ଚାଇବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାର ନିୟମିତ ଯାଞ୍ଚ କରାଯିବା ସହ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ଦାବି ହୋଇଛି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଡାକ୍ତରଖାନା ରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ଅଭିଯୋଗ ହୋଇଆସୁଛି।
