ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଗାୟକ ବାପି ଲାହିରିଙ୍କ ପରଲୋକ

ବଲିଉଡ ଜଗତରେ ପୁଣି ଖେଳିଲା ଦୁଃଖର ଲହରୀ | ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଗାୟକ ବାପି ଲାହିରିଙ୍କ ପରଲୋକ |ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା | ଚିକିତ୍ସା ଧୀନ ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ରାତିରେ ବାପିଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । ଡାକ୍ତର ମାନେ ଶତଚେଷ୍ଟା କରିବା ପରେ ବି ବାପିଙ୍କ ଜୀବନ ବଞ୍ଚାଇ ପାରିନଥିଲେ । ଦୀର୍ଘଦିନ ଧରି ବାପି ଅସୁସ୍ଥ ଥିଲେ । ଗତ ବର୍ଷେ ହେବ ବାପି ଅନେକ ସମୟରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତକୁ ଦିନ କେଇଟା ବିତିନି ବାପିଙ୍କ ଦେହାନ୍ତ ସିନେପ୍ରେମୀଙ୍କୁ ସ୍ତବ୍ଧ କରି ଦେଇଛି ।

୮୦ ଓ ୯୦ ଦଶକରେ ନିଜର ହିଟ୍ ଗୀତ ବଳରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ବାପି । ଡିସ୍କୋ ଡ୍ୟାନ୍ସର, ଶରାବୀ ଓ ନମକ ହଲାଲ ଭଳି ସୁପରହିଟ୍ ଫିଲ୍ମରେ ବାପି ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିଲେ ବାପି ।

ଫିଲ୍ମ ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର ଓ ଶରାବୀ ଭଳି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାପି । ଚଳଚ୍ଚିତ୍ର ଡାର୍ଟି ପିକ୍ଚରରେ ଚୁଟକି ଜୋ ତୁନେ କାଟି ହେ ସଙ୍ଗୀତରେ କଣ୍ଠଦାନ ମଧ୍ୟ କରିଛନ୍ତି । ଶେଷ ଥର ପାଇଁ ୨୦୨୦ରେେ ସେ ବାଘୀ-୩ରେ ବନକର ସଙ୍ଗୀତରେ ନିର୍ଦ୍ଦେଶନା ଦେଇଥିଲେ । ସଲମାନ ଖାନଙ୍କ ସହ ରିଅଲିଟି ସୋ ବିଗ୍ ବସ୍ 15 ରେ ଶେଷ ଥର ପାଇଁ ପରଦାରେ ନଜର ଆସିଥିଲେ ବାପି । ଯେଉଁଠାରେ ସେ ତାଙ୍କ ନାତି ସ୍ବାସ୍ତିକଙ୍କ ନୂଆ ଗୀତ ‘ବଚା ପାର୍ଟି’ର ପ୍ରମୋସନ କରିଥିଲେ । ନିଜର କଳା ପାଇଁ ବେଶ ଲୋକପ୍ରିୟତା ସାଉଣ୍ଟିଥିଲେ ବାପି ଦା’ ।

ଗତ ବର୍ଷ ଏପ୍ରିଲରେ କୋଭିଡ ପଜିଟିଭ ପରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ । ଏହା ପରେ ସେ ପୁଣି ଅସୁସ୍ଥ ହୋଇଥିଲେ । ଲାହିରିଙ୍କୁ ଏକ ମାସ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସୋମବାର ଦିନ ଡିସଚାର୍ଜ କରାଯାଇଥିଲା । କିନ୍ତୁ ମଙ୍ଗଳବାର ପୁଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ପୁଣି ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କର କିଡନୀ ସମସ୍ୟା ସହ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା ।

Related Posts