ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ରାଜ୍ୟର ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ସହ ପୁଞ୍ଜି ଓ କାର୍ଯ୍ୟକ୍ରମ ବ୍ୟୟ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନରେ ଅର୍ଥ ବିଭାଗର ସମୀକ୍ଷା ବୈଠକ କରି ରାଜ୍ୟର ଆର୍ଥିକ ସ୍ଥିତି ଓ ରାଜସ୍ୱ ଆଦାୟ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସାମଗ୍ରିକ ବିକାଶ ପାଇଁ ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଆବଶ୍ୟକ। ଏହା ସହ ପୁଞ୍ଜି ଓ କାର୍ଯ୍ୟକ୍ରମ ଖର୍ଚ୍ଚ ବଢ଼ାଇଲେ ରାଜ୍ୟର ବିକାଶ ଓ ଅଭିବୃଦ୍ଧି ଅଧିକ ତ୍ୱରାନ୍ୱିତ ହୋଇପାରିବ।
ଅର୍ଥ ବିଭାଗର ଉପସ୍ଥାପନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ଜୁଲାଇ ସୁଦ୍ଧା ବିଭିନ୍ନ ସୂତ୍ରରୁ ରାଜ୍ୟର ମୋଟ ରାଜସ୍ୱ ଆଦାୟ ୬୧,୫୯୩ କୋଟି ଟଙ୍କା ରହିଛି। ଗତ ବର୍ଷର ସମାନ ସମୟ ତୁଳନାରେ ଏହା ୭.୩% ଅଧିକ । ସେହିପରି ରାଜ୍ୟର ନିଜସ୍ୱ ରାଜସ୍ୱରେ ୧୧.୯% ବୃଦ୍ଧି ହୋଇଛି। ନିଜସ୍ୱ ଟିକସ ରାଜସ୍ୱ ୯.୩% ଏବଂ ଅଣଟିକସ ରାଜସ୍ୱ ୧୪.୮% ବଢ଼ିଛି । ରାଜ୍ୟର ମୋଟ ରାଜସ୍ୱ ମଧ୍ୟରୁ କେନ୍ଦ୍ର ସରକାରଙ୍କ ଅନୁଦାନର ଅଂଶ ୧୦%, କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ୩୧%, ନିଜସ୍ୱ ଟିକସ ରାଜସ୍ୱ ୩୧% ଏବଂ ନିଜସ୍ୱ ଅଣଟିକସ ରାଜସ୍ୱ ୨୮% ରହିଛି ।
ରାଜସ୍ୱ ଆଦାୟ ସହ ରାଜ୍ୟର କାର୍ଯ୍ୟକ୍ରମ ବ୍ୟୟ ଓ ପୁଞ୍ଜି ବ୍ୟୟ ମଧ୍ୟ ବଢ଼ିଛି । ଜୁଲାଇ ସୁଦ୍ଧା କାର୍ଯ୍ୟକ୍ରମ ବ୍ୟୟ ଗତ ବର୍ଷର ସମାନ ସମୟ ତୁଳନାରେ ୧୯.୧% ବୃଦ୍ଧି ପାଇଛି । ସେହିପରି ୨୦୨୬ ଜୁଲାଇ ଶେଷ ସୁଦ୍ଧା ରାଜ୍ୟର ମୋଟ ପୁଞ୍ଜିଗତ ବ୍ୟୟ ବା କ୍ୟାପେକ୍ସ ଖର୍ଚ୍ଚ ୧୧,୩୦୦ କୋଟି ଟଙ୍କା ରହିଛି । ଗତ ବର୍ଷ ଜୁଲାଇ ସୁଦ୍ଧା ଏହା ୯,୩୯୯ କୋଟି ଟଙ୍କା ଥିଲା। ଅର୍ଥାତ୍ କ୍ୟାପେକ୍ସ ଖର୍ଚ୍ଚରେ ୨୦.୨% ବୃଦ୍ଧି ହୋଇଛି ।
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ବିନିଯୋଗ ଆବଶ୍ୟକ । ତେଣୁ ରାଜସ୍ୱ ଆଦାୟ ବଢ଼ାଇବା ସହ କ୍ୟାପେକ୍ସ ଖର୍ଚ୍ଚକୁ ଆହୁରି ତ୍ୱରାନ୍ୱିତ କରିବାକୁ ସମସ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ବୈଠକରେ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର ରାଜସ୍ୱ ଆଦାୟ ଓ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ
