କଟକ(ସତ୍ୟପାଠବ୍ୟୁରୋ): ବାଙ୍କୀ ଡ଼ମପଡା ବ୍ଲକରେ ମଙ୍ଗଳବାର ସକାଳ ୭ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ବିଏନଏସ ୧୬୩ ଧାରା ଲାଗୁ କରାଯାଇଥିଲା। ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସମର୍ଥକ ଓ ପରାଜିତ ବିଜେପି ବିଧାୟକ ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତୀ ସମର୍ଥକଙ୍କ ମଧ୍ୟରେ ରାଜନୈତିକ କଳହ ଦେଖାଯାଇଛି। ଯେଉଁଥି ପାଇଁ 3 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଦେବୀଙ୍କ ସମର୍ଥକଙ୍କୁ ବାଙ୍କୀ କଲେଜ ଠାରେ ଓ ତୁଷାରଙ୍କ ସମର୍ଥକଙ୍କୁ ମହିଳା ମହାବିଦ୍ୟାଳୟ ଠାରେ ପୋଲିସ ଅଟକାଇଥିଲା। ପରେ ତୁଷାରକାନ୍ତି ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ବିଜେପିର ସ୍ୱତନ୍ତ୍ର ଏକ ପ୍ରତିନିଧି ଦଳ ବିଡ଼ିଓଙ୍କ ସହିତ ଆଲୋଚନା କରିଥିଲେ। ଦୀର୍ଘ ୩ ଘଣ୍ଟାର ଆଲୋଚନା ବିଫଳ ହୋଇଥିଲା। ଆଲୋଚନା ସଫଳ ହୋଇନଥିବା ବେଳେ ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନ ହେବ ବୋଲି କହିଛନ୍ତି ସାଂସଦଙ୍କ ପ୍ରତିନିଧି ସରୋଜ ମତଗଜସିଂ। ସେହିପରି ଅଭିଯୋଗ ଆସିଲେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଡିଓ ଅଂଶୁମାନ ଦାସ।
ସୂଚନା ଅନୁଯାୟୀ, ଗତ ୭ ତାରିଖ ଶୁକ୍ରବାର ବିଜେପି ପକ୍ଷରୁ ବାଙ୍କୀ ବିଧାୟକ ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ କିଛି ହିତାଧିକାରୀ ବିଡ଼ିଓ ଅଂଶୁମାନ ଦାସଙ୍କୁ ଦେଖା କରିବା ପାଇଁ ବ୍ଲକ୍ ଆସିଥିଲେ। ପଂଚାୟତରେ ଚାଲିଥିଲା ବିଭିନ୍ନ ଉନ୍ନୟନ ମୂଳକ କାମ ଉପରେ ଓ ଅନେକ ସାମୁହିକ ସମସ୍ୟା ଉପରେ ହୋଇଥାନ୍ତା ଆଲୋଚନା। କିନ୍ତୁ ପୂର୍ବରୁ ଛୁଟି ନ ନେଇ ବ୍ଲକ କାର୍ଯ୍ୟାଳୟକୁ ବିଡ଼ିଓ ଆସିନଥିଲେ। ଏହାକୁ ସହଜରେ ହଜମ କରିପାରି ନ ଥିଲା ବିଜେପି। ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଇଥିଲେ ଧାରଣା। ପରବର୍ତ୍ତୀ ସମୟରେ ଆଲୋଚନା ପାଇଁ ମଙ୍ଗଳବାର ବିଡ଼ିଓଙ୍କୁ ଅନୁମତି ମାଗିଥିଲେ ବିଜେପି କର୍ମୀ ମଙ୍ଗଳବାର ଦିନ ୧୧ ଟା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ରାଜନୈତିକ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଥିଲା ବାଙ୍କୀ ଡ଼ମପଡା ବ୍ଲକ। ତୁଷାର ଙ୍କ ସହ ଏହି ପ୍ରତିନିଧି ଦଳରେ ଡମପଡା ବ୍ଲକ୍ ସାଂସଦଙ୍କ ପ୍ରତିନିଧି ସରୋଜ କୁମାର ମତଗଜସିଂ, ଜୟନ୍ତ କୁମାର ବେଉରା, କଟକ ଜିଲ୍ଲା ବିଜେପି ଉପ ସଭାପତି ଜଗନ୍ନାଥ ପରିଡ଼ା, ସୁଶାନ୍ତ କୁମାର ଜେନା, କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ଅନିତା ମିଶ୍ର ପ୍ରମୁଖ ରହିଥିଲେ।
