ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ) : ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସଂଜୀବ ଜୈନଙ୍କୁ ଉତ୍ତର କୋରିଆରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି । ସଂଜୀବ ଜୈନ ବର୍ତ୍ତମାନ ରିପବ୍ଲିକ୍ ଅଫ୍ କାବୋ ଭର୍ଡେରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଡେମୋକ୍ରାଟିକ୍ ପିପୁଲ୍ସ ରିପବ୍ଲିକ୍ ଅଫ୍ କୋରିଆ (ଉତ୍ତର କୋରିଆ)ରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ସେ ସଂସଦୀୟ କାର୍ଯ୍ୟ, ପ୍ରଶାସନ, କନସୁଲାର କାର୍ଯ୍ୟ, ପ୍ରେସ୍ ସମ୍ପର୍କ, ବିଜ୍ଞାନ ଓ ପ୍ରଯୁକ୍ତି ସହଯୋଗ, ସଂସ୍କୃତି, ଭାରତୀୟ ସମୁଦାୟ ସମ୍ବନ୍ଧୀୟ ବିଷୟ, ବ୍ୟବସାୟ ଓ ବାଣିଜ୍ୟ ଭଳି ବିଭିନ୍ନ କ୍ଷେତ୍ରରେ କାମ କରିଛନ୍ତି। ଏହା ପୂର୍ବରୁ ସେ ଦୁବାଇ, ପ୍ୟାରିସ୍, କ୍ୟାଣ୍ଡି, ବର୍ଲିନ୍, ଟୋକିଓ ଏବଂ ଓସାକାସ୍ଥିତ ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସରେ ବିଭିନ୍ନ ପଦବୀରେ ଦାୟିତ୍ବ ସମ୍ଭାଳିଛନ୍ତି। କାବୋ ଭର୍ଡେରେ ରାଷ୍ଟ୍ରଦୂତ ହେବା ପୂର୍ବରୁ ସଂଜୀବ ଜୈନ ବିଦେଶ ମନ୍ତ୍ରଣାଳୟର ମୁଖ୍ୟାଳୟରେ ‘ଆସିଆନ୍’ ଦେଶ ସମ୍ବନ୍ଧୀୟ ବିଭାଗରେ କାର୍ଯ୍ୟ କରୁଥିଲେ। ଗୋଆରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀ ସମେତ ଅନେକ ବହୁପକ୍ଷୀୟ ସମ୍ମିଳନୀର ଆୟୋଜନ ସହିତ ମଧ୍ୟ ସେ ଜଡ଼ିତ ଥିଲେ।
