ବଲାଙ୍ଗୀର: ଲଗାଣ ବର୍ଷା ଯୋଗୁଁ ଲାଂଥ ନଦୀରେ ହଠାତ୍ ଜଳସ୍ତର ବଢ଼ିଯିବାରୁ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତର ଟୁର୍ଚ୍ଚାଉପେର ନିକଟରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ନଦୀ ଭିତରେ ଥିବା ଏକ ଉଚ୍ଚ ସ୍ଥାନକୁ ଗାଈ ଓ ଛେଳି ଚରାଇବାକୁ ଯାଇଥିବା ୮ ଜଣ ବ୍ୟକ୍ତି ହଠାତ୍ ବନ୍ୟା ପାଣିରେ ଫସିଯାଇଥିଲେ। ସେମାନଙ୍କ ସହ ପ୍ରାୟ ୩୦ଟି ଗାଈ-ଗୋରୁ ଏବଂ ୧୦୦ରୁ ଅଧିକ ଛେଳି ମଧ୍ୟ ନଦୀ ମଝିରେ ଅଟକି ରହିଥିଲେ।
ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ବଜରଙ୍ଗ ଦଳର ସଦସ୍ୟମାନଙ୍କ ସହଯୋଗରେ ଦୀର୍ଘ ସମୟ ଧରି ଚାଲିଥିବା ଉଦ୍ଧାର ଅଭିଯାନ ପରେ ସମସ୍ତ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସେହିପରି ନଦୀ ମଝିରେ ଫସି ରହିଥିବା ପ୍ରାୟ ୩୦ଟି ଗାଈ-ଗୋରୁ ଓ ୧୦୦ରୁ ଅଧିକ ଛେଳିଙ୍କୁ ମଧ୍ୟ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।
ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ସୂଚନା ଅନୁସାରେ, ଏହି ଉଦ୍ଧାର କାର୍ଯ୍ୟରେ କିଛି ଘଣ୍ଟା ଲାଗିଥିଲା ଏବଂ ସମନ୍ୱିତ ପ୍ରୟାସ ଯୋଗୁଁ କୌଣସି ଜୀବନହାନି ଘଟିନାହିଁ।
ଲଗାଣ ବର୍ଷା ସମୟରେ ନଦୀର ଜଳସ୍ତର ହଠାତ୍ ବଢ଼ିପାରୁଥିବାରୁ ନଦୀ ଭିତରକୁ କିମ୍ବା ନିମ୍ନାଞ୍ଚଳକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ କରାଯାଇଛି।
