ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି | ଦଳ ଭିତରେ ଆରମ୍ଭ ହୋଇଯାଇଛି ଡିଆଁ ପର୍ବ | ବୁଧବାର ମୁଲାୟମଙ୍କ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ମିଶିଥିବାବେଳେ ୟୁପି ଉପବାଚସ୍ପତି ତଥା ସପା ବିଧାୟକ ନୀତିନ ଅଗ୍ରୱାଲ ମଧ୍ୟ ଦଳ ଛାଡିଛନ୍ତି । ସେ ଉଭୟ ବିଧାୟକ ଓ ବିଧାନସଭା ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ।

ନୀତିନ ପ୍ରଥମେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ଏବଂ ପରେ ସପାରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବଙ୍କ ନିକଟକୁ ପଠାଇଥିବା କହିଛନ୍ତି । ହରଦୋର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିବା ନୀତିନ ସପାର ହାତ ଛାଡିବା ପରେ ବିଜେପିରେ ମିଶିବେ । ନିକଟରେ ଉତ୍ତରପ୍ରଦେଶରେ ବିଜେପିର ଏକ ରାଲିରେ ଅମିତ ଶାହାଙ୍କ ସହ ଅଗ୍ରୱାଲ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ସାଇକେଲରୁ ଓହ୍ଲାଇ ପଦ୍ମ ଧରିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ସିଂହ ଯାଦବଙ୍କ ଭାଇ ବୋହୂ। ସାମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହ ତାଙ୍କୁ ବିଜେପିରେ ବିଧିବଦ୍ଧ ଭାବେ ସାମିଲ କରାଇଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ଡେପୁଟି ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ।

ମୁଲାୟମ ସିଂହଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ। ସେ ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧାନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ। ୨୦୧୭ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଅପର୍ଣ୍ଣା। କେଣଟ ଆସନରୁ ସାଇକଲ ଚିହ୍ନଟରେ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେତେବେଳେ ତାଙ୍କୁ ୬୩ ହଜାର ଭୋଟ ମିଳିଥିଲା। ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କୁ ଦେଇଥିଲେ କଡା ଟକ୍କର।