ସମ୍ବଲପୁର, (ସତ୍ୟପାଠବ୍ୟୁରୋ): ଆହୁରି ସଠିକ ହେବ ପାଣିପାଗ ଆକଳନ। ଓଡ଼ିଶାର ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ସଶକ୍ତ କରିବା ପାଇଁ ସମ୍ବଲପୁରର ଜମାଦାରପାଲି ଠାରେ ଏକ ଅତ୍ୟାଧୁନିକ ଡପଲର ୱେଦର ରାଡାର ଷ୍ଟେସନ୍ ସ୍ଥାପନ କରାଯାଇଛି। ଆଜି ସମ୍ବଲପୁରର ନୂତନ ଡପଲର ୱେଦର ରାଡାର କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମ୍ବଲପୁରର ଜମାଦାରପାଲି ଠାରେ ନିର୍ମିତ ୫ ମହଲା ବିଶିଷ୍ଟ ଏହି କେନ୍ଦ୍ର, ପାଣିପାଗ ସମ୍ବନ୍ଧୀୟ ସଠିକ ସୂଚନା ପ୍ରଦାନ କରିବ। ଏହି ରାଡାରର କ୍ଷମତା ପ୍ରାୟ ୨୫୦ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ରହିବ। ଏହା ଦ୍ୱାରା ପଶ୍ଚିମ ଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲା ଉପକୃତ ହେବେ। ଏହି ଅତ୍ୟାଧୁନିକ ସି-ବ୍ୟାଣ୍ଡ ଡପଲର ରାଡାର ସାହାଯ୍ୟରେ ବଜ୍ରପାତ, କାଳବୈଶାଖୀ, ପ୍ରବଳ ବର୍ଷା ଏବଂ ଝଡ଼ତୋଫାନ ଭଳି ପ୍ରାକୃତିକ ବିପର୍ଯ୍ୟୟର ଖୁବ୍ ସଠିକ୍ ଏବଂ ଆଗୁଆ ସୂଚନା ମିଳିପାରିବ । ସେହିପରି ଏହା ହୀରାକୁଦ ଜଳଭଣ୍ଡାରର କ୍ୟାଚମେଣ୍ଟ ଏରିଆରେ ହେବାକୁ ଥିବା ବର୍ଷାର ସଠିକ୍ ଆକଳନ କରିବାରେ ସାହାଯ୍ୟ କରିବ । ଫଳରେ ହୀରାକୁଦର ଜଳ ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ସହଜ ହେବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁର ଗସ୍ତରେ ଆସି ପ୍ରଥମେ କୁଚିଣ୍ଡା ଗସ୍ତ କରିବା ପରେ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଯାତ୍ରା କରି ଦିନ ୧୨ଟା ୫ ମିନିଟ୍‌ରେ କୁଚିଣ୍ଡା କଲେଜ ପଡ଼ିଆରେ ଥିବା ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ସେଠାରୁ ଖଣ୍ଡୋକଟା କଲ୍ୟାଣ ମଣ୍ଡପକୁ ଯାଇ କାର୍ଯ୍ୟକ୍ରମରେ ଯୋଗଦେଇ ସଡ଼କ ପଥରେ ବାହାରି ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍‌ ଗସ୍ତ କରିଥିଲେ। ଏହି ଅବସରରେ ସମ୍ବଲପୁରର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଜିଲ୍ଲାର ବିକାଶ ସମ୍ପର୍କିତ ଅନେକ ପ୍ରକଳ୍ପ ଲୋକାର୍ପିତ ହେବା ସହ ନୂତନ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଥିଲେ। ପରେ ସେ ସମ୍ବଲପୁର ଡପ୍ଲର ୱେଦର ରାଡାର ଷ୍ଟେସନ୍‌ର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ଜମାଦାରପାଲି ଏୟାରଷ୍ଟ୍ରିପ୍‌କୁ ଯାଇ ସନ୍ଧ୍ୟା ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଯାଇଥିଲେ।