ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା: ଏନ୍‌କାଉଣ୍ଟରରେ ୬ ନକ୍ସଲ ନିହତ

ସତ୍ୟପାଠ 27/12 ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ପାଖାପାଖି ଏକ ଘଣ୍ଟାର ଏନ୍‌କାଉଣ୍ଟରରେ ନିହତ ହେଲେ ୬ ନକ୍ସଲ । ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଓ ଛତିଶଗଡ଼ ଜଙ୍ଗଲରେ ଥିବା କୋତ୍ତାଗୁଡ଼ମ ଅଞ୍ଚଳରେ ହୋଇଛି ଏନକାଉଣ୍ଟର । କୋତ୍ତାଗୁଡମ ଅଞ୍ଚଳରେ ଥିବା କିସ୍ତାରାମ ଜଙ୍ଗଲରେ ନକ୍ସଲଙ୍କ କ୍ୟାମ୍ପ ଥିବା ଖବର ଆସିଥିଲା । ଯେଉଁ ଖବର ଆଧାରରେ ତେଲେଙ୍ଗାନା, ଛତିଶଗଡ଼ ପୋଲିସ ଓ ସିଆର୍‌ପିଏଫ୍‌ ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ୍ । ଏହି ସମୟରେ ନକ୍ସଲଙ୍କ ସହ ପ୍ରାୟ 1 ଘଣ୍ଟା ଧରି ଚାଲିଥିଲା ଗୁଳିବିନିମୟ । ଏଥିରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ନକ୍ସଲ କରିଥିବା କ୍ୟାମ୍ପରୁ ବିପୁଳ ପରିମାଣର ଗୁଳି, ବନ୍ଧୁକ ଜବତ କରାଯାଇଛି । କୋତ୍ତାଗୁଡମ ଏସ୍‌ପି ସୁନୀଲ ଦତ୍ତ ଅପରେସନରେ ସାମିଲ ଥିଲେ ବୋଲି ଜଣାଯାଇଛି। ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ଥିବା ଜଣାଯାଇଛି। ମୃତ ନକ୍ସଲଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ।

Related Posts