ମୁମ୍ବାଇ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସାମାନ୍ୟ ସ୍ଥିତିରେ ସୁଧାର ଆସିବା ପରେ ଷ୍ଟକ ମାର୍କଟେରେ ବଡ଼ ଫରକ ଦେଖିବାକୁ ମିଳିଛି। ଭାରତୀୟ ଷ୍ଟକ୍‌ ବଜାରରେ ଆଜି ଉତ୍ସାହଜନକ କାରବାର ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୬୯୫.୪୦ ପଏଣ୍ଟ୍‌ ବୃଦ୍ଧି ପାଇ ୭୫,୫୨୭.୯୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୪୬୧ ପଏଣ୍ଟ୍‌ ବୃଦ୍ଧି ପାଇ ୨୩,୬୨୨.୯୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ହୋଇଥିବା ବୃଦ୍ଧି ପ୍ରଭାବରେ ନିବେଶକଙ୍କ ସମ୍ପତ୍ତି ୭ ଲକ୍ଷ କୋଟି ଟଙ୍କା ବଢ଼ିଛି। ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୪୬୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯୁଦ୍ଧ ଉତ୍ତେଜନା କମିବା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୮୮ ଡଲାର ଭଳି ସ୍ତରକୁ ଖସିଆସିବାରୁ ନିବେଶକମାନେ ବେଶ୍‌ ଖୁସି ହୋଇଯାଇଛନ୍ତି। ଆଜି ଷ୍ଟକ୍‌ ବଜାରରେ ପ୍ରାୟ ସବୁ କ୍ଷେତ୍ରରେ ଉତ୍ସାହଜନକ କାରବାର ହୋଇଥିଲା।