ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ ବିଷୟରେ କହିଛନ୍ତି। ସେ କହିଛନ୍ତି, ବିଜେଡିର ଓଭର କନ୍ଫିଡେନ୍ସରୁ ହାରିଛି। ଆମେ ଭାବିଥିଲୁ ନବୀନ ଏତେ କାମ କରିଛନ୍ତି, ସମସ୍ତେ ତାଙ୍କୁ ଭୋଟ୍ ଦେବେ। କିନ୍ତୁ ଭୋଗରାଇରେ ବିଜେଡିକୁ ଲୋକେ ଭୋଟ୍ ଦେଲେ ଆଉ କେଉଁଠି ନବୀନଙ୍କୁ ଦେଲେ ନାହିଁ।
ସେହିପରି ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତାକୁ ନେଇ ଗୌତମବୁଦ୍ଧ ସ୍ବର ଉଠାଇଛନ୍ତି। ସେ କହିଛନ୍ତି, କେଉଁଠି ଭତ୍ତା ଦାବିରେ ଧାରଣା ଦିଆଗଲାଣି ତ କେଉଁଠି ପୁଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଗଲାଣି। ତିନିମାସ ହେଲାଣି ଭତ୍ତା ମିଳୁ ନ ଥିବାରୁ ବୃଦ୍ଧାବୃଦ୍ଧମାନେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଯେଉଁମାନେ ଆକାଉଣ୍ଟ ଜରିଆରେ ଭତ୍ତା ପାଉଥିଲେ ସେମାନଙ୍କର ଏମିତି ସମସ୍ୟା ଉପୁଜିଥିବା କୁହାଯାଉଥିବା ବେଳେ ଶୀଘ୍ର ସମାଧାନ ନେଇ ମଧ୍ୟ ପ୍ରତିଶ୍ରୁତି ମିଳୁଛି ।ଯେପର୍ଯ୍ୟନ୍ତ, ବୃଦ୍ଧବୃଦ୍ଧାମାନଙ୍କୁ ଭତ୍ତା ମିଳିନାହିଁ, ସେପର୍ଯ୍ୟନ୍ତ ନିଜ ବିଧାୟକ ଭତ୍ତା ନେବେ ନାହିଁ ବୋଲି ରୋକ୍ଠୋକ୍ କହିଛନ୍ତି। ଏନେଇ ବିଧାୟକ ଗୌତମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି ।
ଚିଠିରେ ଉଲ୍ଲେଖ ଅଛି ଯେ, ଆଜିକୁ ୩ ମାସ ହେଲା ରାଜ୍ୟର ୨୨ ଲକ୍ଷ ଅସହାୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା ଓ ସମାଜର ଅବହେଳିତ ବର୍ଗର ଲୋକ ମାସିକ ସାମାଜିକ ସୁରକ୍ଷା ଭତ୍ତା ପାଇନାହାନ୍ତି । ଫଳରେ ସେମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଓ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ଓଡ଼ିଶା ଇତିହାସର ବିଗତ ଦୁଇ ଦଶନ୍ଧି ମଧ୍ୟରେ ଏଭଳି ବେଦନାଦାୟକ ପରିସ୍ଥିତି କେବେ ସୃଷ୍ଟି ହୋଇ ନ ଥିଲା। ଏହାକୁ କେବଳ ଏକ ବ୍ୟବସ୍ଥାଗତ ବା ଯାନ୍ତ୍ରିକ ତ୍ରୁଟି ଜନିତ ସମସ୍ୟା କହି ସରକାର କେତେଦିନ ଆଉ ନିରବରେ ବସିବେ। ଜୀବନରକ୍ଷାକାରୀ ଔଷଧ କିଣିବା ପାଇଁ ମଧ୍ୟ ସେମାନଙ୍କ ପାଖରେ ଟଙ୍କା ନାହିଁ ।ମୋ ନିର୍ବାଚନ ମଣ୍ଡଳୀର ଅନେକ ବୃଦ୍ଧାବୃଦ୍ଧ ମୋ’ ପାଖକୁ ଆସି କାନ୍ଦୁଛନ୍ତିି। ଜଣେ ବିଧାୟକ ଭାବେ ମୁଁ ସେମାନଙ୍କୁ ଭତ୍ତା କେବେ ମିଳିବ ବୋଲି କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁନାହିଁ। ଏହା ମୋତେ ବିଚଳିତ କରୁଛି।
ଏଥିପାଇଁ ଏହି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମମାନେ ତିନି ମାସ ହେଲା ଭତ୍ତା ଯନ୍ତ୍ରଣାରେ ଜର୍ଜରିତ ହେଉଥିବାବେଳେ ପ୍ରତିମାସ ବିଧାୟକ ଭତ୍ତା ନେବାକୁ ମୋର ବିବେକ ମୋତେ ବାଧା ଦେଉଛି । ସେମାନଙ୍କର ଏଭଳି ଦୁର୍ଦ୍ଦଶା ସମୟରେ ଏହା ଗ୍ରହଣ କରିବାର କୌଣସି ନୈତିକ ଅଧିକାର ମୋର ନାହିଁ ବୋଲି ମୁଁ ଅନୁଭବ କରୁଛି । ତେଣୁ ମୁଁ ଆପଣ (ମୁଖ୍ୟମନ୍ତ୍ରୀ)ଙ୍କ ନିକଟରେ ଅତ୍ୟନ୍ତ ବିନମ୍ରତାର ସହିତ ନିବେଦନ କରୁଛି ଯେ, ଯେଉଁ ପର୍ଯ୍ୟନ୍ତ ରାଜ୍ୟର ଏହି ୨୨ ଲକ୍ଷ ଅସହାୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ଅନ୍ୟାନ୍ୟ ଅସହାୟମାନଙ୍କୁ ସେମାନଙ୍କ ବକେୟା ଭତ୍ତା ପ୍ରଦାନ କରାଯାଇ ନାହିଁ, ସେପର୍ଯ୍ୟନ୍ତ ମୋର ବିଧାୟକ ଭତ୍ତା ମଧ୍ୟ ମୋ ଆକାଉଣ୍ଟକୁ ଦିଅନ୍ତୁ ନାହିଁ। କୌଣସି ରାଜନୈତିକ ଉଦ୍ଦେଶ୍ୟ ନ ରଖି ଜଣେ ସମ୍ବେଦନଶୀଳ ଜନପ୍ରତିନିଧି ଭାବେ ମୁଁ ସ୍ବେଚ୍ଛାକୃତ ଭାବେ ଏହି ନିଷ୍ପତ୍ତି ନେଉଛି। ଆଶା କରୁଛି, ଆପଣଙ୍କ ସରକାର ଏଥିପ୍ରତି ସଚେତନ ହେବେ ଏବଂ ଏହି ସମସ୍ୟାର ତୁରନ୍ତ ସମାଧାନ କରିବେ ବୋଲି କହିଛନ୍ତି।
