ସ୍ୱରର ସରସ୍ୱତୀ ଲତା ମଙ୍ଗେସକରଙ୍କ ମୃତ୍ୟୁର କାରଣ କହିଲେ ଚିକିତ୍ସା କରୁଥିବା ଡ଼ାକ୍ତର

ଅପେରାରାଇଜରେ ସ୍ୱରର ସରସ୍ୱତୀ ଲତା ମଙ୍ଗେସକର । 92 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହିବା ପରେ ଆଜି ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି । କିଛି ଦିନ ପୂର୍ବେ ଲତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିଲା । କିନ୍ତୁ ଶନିବାର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖା ଦେବା ପରେ ତାଙ୍କୁ ପୁଣିଥରେ ଭେଣ୍ଟିଲେଟରକୁ ନିଆଯାଇଥିଲା । ଆଉ ଶତଚେଷ୍ଟା ପରେ ମଧ୍ୟ ସ୍ୱର ସାମ୍ରାଜ୍ଞୀ ଶେଷରେ ଆଖି ବୁଜିଥିଲେ ।

ଲତାଙ୍କ ଚିକିତ୍ସା କରୁଥିବା ଟିମର ଡାକ୍ତର ପ୍ରତୀକ ସମଦାନୀଙ୍କ କହିବା ଅନୁଯାୟୀ, ଆଜି ସକାଳ ୮ଟା ୧୨ ମିନିଟ୍ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଲତା । ହସ୍ପିଟାଲରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ଆଜି ତାଙ୍କ ଶରୀରର ଅଧିକାଂଶ ଅଙ୍ଗ ଅକାମୀ ହୋଇ ଯାଇଥିଲା । ଫଳରେ ତାଙ୍କର ପରଲୋକ ହୋଇଥିଲା ବୋଲି କହିଛନ୍ତି ଡାକ୍ତର । ଏହାପୂର୍ବରୁ ଗତ ମାସରେ ଲତାଙ୍କଚ କରୋନା ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କରୋନାର ସାମାନ୍ୟ ଲକ୍ଷଣ ଥିବା ବେଳେ ପରେ ତାଙ୍କ ଶରୀରରେ ନିମୋନିଆ ଦେଖିବାକୁ ମିଳିଥିଲା । ଯାହା ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ଆହୁରି ବିଗାଡିଥିଲା । ଆଉ ଆଜି ସମସ୍ତଙ୍କୁ ଛାଡି ଅଫେରା ରାଇଜର ଅତିଥି ସାଜିଛନ୍ତି ଭାରତର ରତ୍ନ ।

ଆଉ ଲତାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ପୂରା ଦେଶ ଏବେ ଲତାଙ୍କୁ ଝୁରୁଛି । ତଥାପି ଲତାଙ୍କ କାଳଜୟୀ ତାଙ୍କୁ ସବୁବେଳେ ଲୋକଙ୍କ ମନରେ ଅମର ରଖିବ । ଲତାଙ୍କ ପରଲୋକରେ ଦେଶ ବିଦେଶର ଅନେକ ଲୋକ ଟ୍ୱିଟ୍ କରି ଶୋକପ୍ରକାଶ କରିଛନ୍ତି । ଏପରିକି ଲତାଙ୍କ ଶେଷ ଝଲକ ଦେଖିବାକୁ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲ ସାମ୍ନାରେ ହଜାର ହଜାର ଲୋକଙ୍କର ଭିଡ ଜମିଛି । ଯେଉଁଥିପାଇଁ ହସ୍ପିଟାଲ ବାହାରେ ପୋଲିସ ସୁରକ୍ଷା ବଳୟ ତିଆରି କରିଛି । କାରଣ ବିଭିନ୍ନ କ୍ଷେତ୍ରରୁ ପ୍ରତିଷ୍ଠିତ ଲୋକ ଲତାଙ୍କୁ ଦର୍ଶନ କରିବାକୁ ହସ୍ପିଟାଲରେ ପହଞ୍ଚୁଛନ୍ତି ।

ଏସବୁ ଭିତରେ ଲତାଙ୍କ ପରଲୋକ ପାଇଁ ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

Related Posts