ସ୍ୱର ସରସ୍ୱତୀ ଲତାଙ୍କ ଉଦେଶ୍ୟରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର

ଆରପାରିରେ ଭାରତ ରତ୍ନ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ଚିକିତ୍ସା ଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହି ମୃତ୍ୟୁ ସହ ଲଢେଇ କରି ଶେଷରେ ହାର ମାନିଯାଇଥିଲେ ଲତା | ଶେଷରେ ଆଜି ସକାଳୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଉ ଲତାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ଯେଉଁଥିପାଇଁ ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ଅନ୍ୟପଟେ ତାଙ୍କ ମୃତ୍ୟୁ ଖବରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଅନେକ ବରିଷ୍ଠ ରାଜନେତା, ସିନେପ୍ରେମୀ, କଳାକାର | ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିବା ସହ କହିଛନ୍ତି, ଏଭଳି ଶବ୍ଦ ଲେଖିବାକୁ ମୋତେ ବହୁତ କଷ୍ଟ ହେଉଛି ଯେ, ଲତା ଦିଦି ଆମକୁ ଛାଡି ଚାଲିଗଲେ । ଲତା ଦିଦିଙ୍କ ପରଲୋକରେ ଦେଶରେ ଏକ ଖାଲିପଣ ସୃଷ୍ଟି ହୋଇଛି । ଯାହାକୁ କେବେ ପୂରା କରାଯାଇପାରିବ ନାହିଁ । ଲତା ମଙ୍ଗେସକର କେତେ ବଡ କଳାକାର ଥିଲେ ତାହା ଆଗାମୀ ପିଢୀ ମନେରଖିବ ।

ଲୋକଙ୍କ ମନ ଜିଣିବାକୁ ଲତାଙ୍କ ସ୍ୱରରେ ଶକ୍ତି ରହିଥିଲା । ଦୀର୍ଘ ଦଶନ୍ଧି ଧରି ଲତା ଭାରତୀୟ ସଙ୍ଗୀତ ଜଗତ ସହ ଜଡିତ ରହିଛନ୍ତି । ଫିଲ୍ମ ସହ ସେ ଦେଶର ବିକାଶକୁ ନେଇ ମଧ୍ୟ ବେଶ ଚିନ୍ତିତ ଥିଲେ । ସେ ସବୁବେଳେ ମଜବୁତ ଓ ବିକଶିତ ଭାରତ ଦେଖିବାକୁ ଚାହୁଁଥିଲେ । ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି ଯେ, ମୋତେ ଲତା ଦିଦିଙ୍କ ସ୍ନେହ ମିଳିଥିଲା । ତାଙ୍କ ସହ ମୋର ଭେଟଘାଟ ସବୁବେଳେ ମନେରହିବ ।

Related Posts