କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ଦେହାନ୍ତକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ

ଆରପାରିରେ କୋକିଳକଣ୍ଠୀ ଲତା ମଙ୍ଗେସକର | ୯୨ ବର୍ଷ ବୟସରେ ଚିକିତ୍ସା ଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହିବା ପରେ ଆଜି ତାଙ୍କ ଦେହାନ୍ତ ହୋଇଛି | ଆଉ ଲତାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିବା ସହ କହିଛନ୍ତି, ଏଭଳି ଶବ୍ଦ ଲେଖିବାକୁ ମୋତେ ବହୁତ କଷ୍ଟ ହେଉଛି ଯେ, ଲତା ଦିଦି ଆମକୁ ଛାଡି ଚାଲିଗଲେ । ଲତା ଦିଦିଙ୍କ ପରଲୋକରେ ଦେଶରେ ଏକ ଖାଲିପଣ ସୃଷ୍ଟି ହୋଇଛି । ଯାହାକୁ କେବେ ପୂରା କରାଯାଇପାରିବ ନାହିଁ । ଲତା ମଙ୍ଗେସକର କେତେ ବଡ କଳାକାର ଥିଲେ ତାହା ଆଗାମୀ ପିଢୀ ମନେରଖିବ ।

ଲୋକଙ୍କ ମନ ଜିଣିବାକୁ ଲତାଙ୍କ ସ୍ୱରରେ ଶକ୍ତି ରହିଥିଲା । ଦୀର୍ଘ ଦଶନ୍ଧି ଧରି ଲତା ଭାରତୀୟ ସଙ୍ଗୀତ ଜଗତ ସହ ଜଡିତ ରହିଛନ୍ତି । ଫିଲ୍ମ ସହ ସେ ଦେଶର ବିକାଶକୁ ନେଇ ମଧ୍ୟ ବେଶ ଚିନ୍ତିତ ଥିଲେ । ସେ ସବୁବେଳେ ମଜବୁତ ଓ ବିକଶିତ ଭାରତ ଦେଖିବାକୁ ଚାହୁଁଥିଲେ । ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି ଯେ, ମୋତେ ଲତା ଦିଦିଙ୍କ ସ୍ନେହ ମିଳିଥିଲା । ତାଙ୍କ ସହ ମୋର ଭେଟଘାଟ ସବୁବେଳେ ମନେରହିବ ।

କରୋନାରେ ସଂକ୍ରମିତ ହେବା ପରେ ଗତ ଜାନୁଆରୀ ୮ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ସେ କୋଭିଡ୍ ୧୯ ଏବଂ ନିମୋନିଆ ରୋଗରୁ ସୁସ୍ଥ ହୋଇଥିଲେ । କିନ୍ତୁ ପରେ ପୁଣି ଥରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଲତା ମଙ୍ଗେସକର ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦରୋଗରେ ଦେହାନ୍ତ ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ । ଲତା ଆଜୀବନ ଅବିବାହିତ ରହିଛନ୍ତି ।

Related Posts